ଘର ବାହାରେ ଖେଳୁଥିବା ସମୟରେ ଭାଇ ଭଉଣୀକୁ ଆକ୍ରମଣ କଲେ ୨୦ରୁ ଅଧିକ ବୁଲା କୁକୁର; ଆକ୍ରମଣରେ ଭାଇ ମୃତ, ଭଉଣୀ ଗୁରୁତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଘର ବାହାରେ ଖେଳୁଥିବା ସମୟରେ ଭାଇ ଭଉଣୀକୁ ଆକ୍ରମଣ କଲେ ୨୦ରୁ ଅଧିକ ବୁଲା କୁକୁର । ଏହି ଆକ୍ରମଣରେ ୮ ବର୍ଷିୟ ଭାଇର ମୃତ୍ୟୁ ଘଟିଥିବା ବେଳେ ୫ ବର୍ଷୀୟ ଭଉଣୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ସେପଟେ ଚିକିତ୍ସା ନିମନ୍ତେ ଦୁଇ ଜଣ ପିଲାଙ୍କୁ କେଜିଏମ୍ୟୁ’ର ‘ଟ୍ରମା ସେଣ୍ଟର୍’କୁ ନିଆଯାଇଥିଲା, କିନ୍ତୁ ସେଠାରେ ୮ ବର୍ଷିୟ ଭାଇ ମହମଦ୍ ହାଇଦର୍ଙ୍କର ମୃତ୍ୟୁ ଘଟିଥିଲା। ତା’ର ୫ ବର୍ଷୀୟ ଭଉଣୀ ଜନ୍ନତ୍ ସଙ୍କଟାପନ୍ନ ଅବସ୍ଥାରେ ‘ଆଇସିୟୁ’ରେ ଚିକିତ୍ସାଧୀନା ଅଛି।ମୃତ ବାଳକର ପିତାମାତା ସହରର ମହାନଗର ନିଗମ ବିରୋଧରେ ଅଭିଯୋଗ କରି କହିଛନ୍ତି, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବୁଲା କୁକୁର ବିପଜ୍ଜନକ ବୋଲି ଥରକୁ ଥର ଅଭିଯୋଗ କରିବା ସତ୍ତ୍ବେ ‘ଲକ୍ଷ୍ନୌ ମହାନଗର ନିଗମ’ କୌଣସି ପଦକ୍ଷେପ ନେବା ପାଇଁ ତତ୍ପରତା ଦେଖାଇଲା ନାହିଁ।

କୁକୁରମାନଙ୍କର ବନ୍ଧ୍ୟାକରଣ ନିମନ୍ତେ ସେମାନେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ, ‘ଏନ୍ଜିଓ’ମାନେ ବିରୋଧ କରୁଥିବାରୁ କୁକୁର ଧରାଯାଇ ପାରିବ ନାହିଁ ବୋଲି ‘ଲକ୍ଷ୍ନୌ ମହାନଗର ନିଗମ’ କହିଥିଲା। ୬ ନମ୍ବର ମହାନଗର ନିଗମ ଜୋନ୍ ଏବଂ ଅନ୍ୟମାନଙ୍କ ବିରୋଧରେ କୁକୁର ଆକ୍ରମଣର ଶିକାର ହୋଇଥିବା ଦୁଇ ପିଲାଙ୍କ ବାପା ଠାକୁରଗଞ୍ଜ ଥାନାରେ ଅଭିଯୋଗ ଦାଏର କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts