ମଙ୍କିପକ୍ସ ଭୟ: ରାଜଧାନୀ ଦିଲ୍ଲୀରେ ପୁଣି ଦୁଇ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ଯାହାକୁ ନେଇ ଭୟ ମଧ୍ୟ ବଢ଼ୁଛି । ତେବେ ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରୁ ପୁଣି ଦୁଇ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତଙ୍କୁ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି(ଶୁକ୍ରବାର) ସରକାରୀ ସ୍ତରରେ ଏନେଇ ସୂଚନା ଦିଆଯାଇଛି । ଦିଲ୍ଲୀ ସ୍ଥିତ ଏମ୍ସରେ ୧୨ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ଦୁଇଟି ନମୂନା ମଙ୍କିପକ୍ସ ପଜିଟିଭ ଆସିଛି । ତେବେ ଏହି ଦୁଇ ନୂଆ ମଙ୍କିପକ୍ସ ସଂକ୍ରମିତ ନିକଟରେ କୌଣସି ବିଦେଶ ରାଷ୍ଟ୍ର ଯାଇନଥିବା ଜଣାପଡିଛି ।

ଦିନକୁ ଦିନ ଭାରତରେ ମଙ୍କିପକ୍ସ ମାମଲା ବଢୁଛି । ଏହାକୁ ନେଇ ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଲଳିତ୍ ଦର କହିଛନ୍ତି, ”ବର୍ତ୍ତମାନ ସମୟରେ ଦେଶର ଟେଷ୍ଟିଂ କ୍ଷମତା ଯଥେଷ୍ଟ ଅଧିକ ରହିଛି । ଦେଶବ୍ୟାପୀ ମଙ୍କିପକ୍ସ ଟେଷ୍ଟିଂ ପାଇଁ ICMR ଦ୍ବାରା ୧୫ଟି ଲ୍ୟାବ୍ ପ୍ରସ୍ତୁତ ରହିଛି । ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ହରିୟାଣା ଆଦି ବିଭିନ୍ନ ରାଜ୍ୟରୁ ମୋଟି ୧୨ଟି ମଙ୍କିପକ୍ସ ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା କରାଯାଇଥିଲା । ଏହାମଧ୍ୟରୁ ଦୁଇଟି ପଜିଟିଭ ଆସିଛି । ଉଭୟ ସଂକ୍ରମିତ ଦିଲ୍ଲୀ ନିବାସୀ ଅଟନ୍ତି । ” ତେବେ ଏହାପୂର୍ବରୁ ଗତ ଦୁଇ ତାରିଖରେ ଦିଲ୍ଲୀରୁ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସଂକ୍ରମିତ ଜଣେ ୩୫ ବର୍ଷୀୟ ନାଇଜେରିଆ ନାଗରିକ ଥିଲେ ।

Related Posts