ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ରାତିଅଧିଆ ବଦଳିକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ତଳେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଏହି ଚର୍ଚ୍ଚା ବର୍ତ୍ତମାନ ଟିକିଏ ଥଣ୍ଡା ପଡିଯାଇଛି। ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଥମିଥିବା ବେଳେ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ରାତିଅଧିଆ ବଦଳି ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ କୁହାଯାଉଥିବା ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କୁ ତାଙ୍କ ବିନା ପରାମର୍ଶରେ ରାତି ଅଧିଆ ବଦଳି କରିଦିଆଯାଇଛି । ପ୍ରଭାବଶାଳୀ ମନ୍ତ୍ରୀଙ୍କ ପିଏସଙ୍କୁ ଅତର୍କିତ ବଦଳି କରାଯିବାକୁ ନେଇ ଏବେ ଲୋକସେବା ଭବନ ଠାରୁ ଆରମ୍ଭ କରି ରାଜନୈତିକ ମହଲ ଚାରିଆଡ଼େ ଚର୍ଚ୍ଚା। ବିକ୍ରମ ଆରୁଖଙ୍କ ପିଏସ୍ ଵଦଳି ପରେ ତୃତୀୟ ମହଲାର ସ୍କାନରେ ଆଉ କିଛି ପିଏସ୍ ଥିବା ନେଇ ଆଲୋଚନା ହେଉଛି। ଆଉ ଏହାକୁ ନେଇ ଏବେ ମନ୍ତ୍ରୀ କରିଡରେ କୋକୁଆଭୟ ଖେଳିଯାଇଛି ।

 ୨୦୦୯ ମସିହାରୁ ଦୀପ୍ତିରଞ୍ଜନ ବେହେରା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପିଏସ୍ ଭାବେ ସେ ତାଙ୍କ ଅଫିସରେ କାର୍ଯ୍ୟ କରି ଆସୁଥିଲେ । ଆରୁଖ ପ୍ରଥମେ ମନ୍ତ୍ରୀ ପଦ ପାଇବା ପରେ ଦୀପ୍ତିରଞ୍ଜନ ବେହେରା ତାଙ୍କ ଓଏସ୍‌ଡି ଭାବେ ନିଯୁକ୍ତ ହୋଇଥିଲେ। ମନ୍ତ୍ରୀଙ୍କ ଓଏସ୍‌ଡି ଥାଇ ମଧ୍ୟ ସେ  ଅନୁଶାସନ ସଚିବ , ଉପ ସଚିବ ଓ ଯୁଗ୍ମ ସଚିବ ପାହ୍ୟାକୁ ପ୍ରମୋଶନ ପାଇଥିଲେ । 

୨୦୧୪ ରୁ ୨୦୧୯ ମସିହା ମଧ୍ୟରେ ଶ୍ରୀ ବେହେରା ଓଏସଡିରୁ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ହୋଇଗଲେ। ଏବଂ ୨୦୧୯ ବିଧାନସଭା ନିର୍ବାଚନ ବିକ୍ରମ କେଶରୀ ଆରୁଖ ପୁଣି ଥରେ ମନ୍ତ୍ରୀ ହୋଇଗଲେ। ମନ୍ତ୍ରୀ ହେବା ପରେ ଦୀପ୍ତିରଞ୍ଜନ ବେହେରାଙ୍କୁ ତାଙ୍କ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ପୁଣି ନିଯୁକ୍ତି ପାଇଲେ। ଦିପ୍ତୀରଞ୍ଜନ ବେହେରା ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ହେବ ମନ୍ତ୍ରୀ ଆରୁଖଙ୍କ ପାଖରେ ରହି ଆସିଛନ୍ତି। ଏମିତି କୌଣସି ମନ୍ତ୍ରୀଙ୍କ ପାଖରେ ଜଣେ ଓଏଏସ୍ ଅଧିକାରୀ ଏତେ ସମୟ ଧରି ରହିବା ଏକ ବିରଳ ସଂଯୋଗ । ପୂର୍ବରୁ ସବୁ କିଛି ଠିକ୍ ଠାକ୍ ଥିଲା କିନ୍ତୁ ବିଗତ ଏକ ବର୍ଷ ହେବ ମନ୍ତ୍ରୀଙ୍କ ପିଏସ୍ ଶ୍ରୀ ବେହେରାଙ୍କ ତୃତୀୟ ମହଲା ସହ ତାଳମେଳ ରହିନଥିଲା। ଥାର୍ଡ ଫ୍ଲୋର ତାଙ୍କର କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା।

ଏମିତିକି କିଛି ଘଟଣାରେ ତାଙ୍କୁ ତାଗିଦ୍ ମଧ୍ୟ କରାଯାଇଥିବା କୁହାଯାଉଛି। ଏସବୁ ସତ୍ତ୍ବେ ସେ ତୃତୀୟ ମହଲାର ବିଶ୍ୱାସ ଭାଜନ ହୋଇପାରି ନଥିଲେ। ଏସବୁ ଘଟଣାକ୍ରମ ମଧ୍ୟରେ ଗତ ୨ ତାରିଖରେ ତାଙ୍କୁ ଆକସ୍ମିକ ଭାବରେ କୋରାପୁଟ ବଦଳି କରାଗଲା । କିନ୍ତୁ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ପାଖରେ ତାଙ୍କ ପିଏସଙ୍କ ବଦଳି ସମ୍ପର୍କିତ ସୂଚନା ନଥିଲା। ବଦଳି ନିର୍ଦ୍ଦେଶ ବାହାରିବା ପରେ ହିଁ ମନ୍ତ୍ରୀ ଏ ବାବଦରେ ସୂଚନା ପାଇଥିଲେ। ସେହିଦିନ ଦାୟିତ୍ଵ ହସ୍ତାନ୍ତର କରିବାକୁ ଦୀପ୍ତିରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦିଆଗଲା । 

ରାଜନୈତିକ ମହଲରେ ଚର୍ଚ୍ଚା ହୁଏ ଯେ ବର୍ତ୍ତମାନ ସରକାରରେ କିଛି ବିଭାଗର ମନ୍ତ୍ରୀ ମାନଙ୍କର ସେପରି କୌଣସି ଦବଦବା ନାହିଁ । କିନ୍ତୁ ଏହି ଧାରଣା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କ୍ଷେତ୍ରରେ ଟିକିଏ ଭିନ୍ନ। କୁହାଯାଏ ଯେ ସେ ନବୀନ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ନିକଟତର । ୨୦୦୯ ମସିହା ପରଠାରୁ ଶ୍ରୀ ଆରୁଖ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସିଛନ୍ତି । ୨୦୧୪ ମସିହାରୁ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଗୁରୁ ଦାୟିତ୍ବ ସମ୍ଭାଳୁଛନ୍ତି । 

୨୦୧୪ ମସିହାରେ ତିନି ବର୍ଷ ପାଇଁ ସେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିଲେ। ଏହା ପରେ ୨୦୧୯ରେ ପୁଣି ଥରେ ସେହି ବିଭାଗର ମନ୍ତ୍ରୀ ହୋଇଛନ୍ତି । ତେଣୁ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ମନ୍ତ୍ରୀ ଏବଂ ତାଙ୍କ ପିଏସଙ୍କର ପକଡ ଥିଲା। ସେମାନଙ୍କ ଅଜାଣତରେ କୌଣସି ବି କାମ ହେଉନଥିଲା। ତେବେ ନବୀନ ସରକାରରେ ଏପରି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପିଏସ୍‌ଙ୍କୁ ଏମିତି ଅତର୍କିତ ଭାବରେ ରାତି ଅଧିଆ ବଦଳି କରାଯିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ। ଏହି ନିଷ୍ପତ୍ତିକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି । 

ଗତ କିଛିଦିନ ତଳେ ବରିଷ୍ଠ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କୁ ଗତ କିଛିଦିନ ତଳେ ଭିଜିଲାନ୍ସ ଗିରଫ କରିଥିଲା। ଆଉ ଶ୍ରୀ ପାଠକ ଥିଲେ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ। ପାଠକ ଜଙ୍ଗଲ ଓ ପରିବେଶ ବିଭାଗରେ ଦୁର୍ନୀତି କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ପାଠକଙ୍କ ମାମଲା ବିଚାରାଧୀନ ରହିଛି। ଖୋଦ୍ ଜଙ୍ଗଲ ବିଭାଗର ଜଣେ ଅଧିକାରୀଙ୍କ ବିରୋଧରେ ଏତେ ବଡ ଦୁର୍ନୀତିର ଅଭିଯୋଗ ଆସିଲା କିନ୍ତୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଏହି ମାମଲାରେ ଟଣାଯାଇ ନ ଥିଲା । ଏହି ବିବାଦ ମୁଣ୍ଡ ଟେକିବା ସତ୍ଵେ ସେ ସେଫ୍ ଜୋନ୍ ରେ ଥିଲେ। କିନ୍ତୁ ଦୀର୍ଘ ବର୍ଷ ଧରି ତାଙ୍କର ପିଏସ୍‌ଙ୍କ ବଦଳି ଏବେ ମନ୍ତ୍ରୀଙ୍କୁ ବିବାଦ ଘେରକୁ ଟାଣିଆଣିଛି ।

ତେବେ ଗୋଟିଏ କି ଦୁଇଟି ଘଟଣା ନୁହେଁ ବରଂ କ୍ରମାଗତ ଭାବେ ତାଙ୍କ କାର୍ଯ୍ୟାଳୟର କିଛି ନିଷ୍ପତ୍ତିକୁ ନେଇ ଥାର୍ଡ ଫ୍ଲୋର ଅସନ୍ତୁଷ୍ଟ ଥିଲା । ବର୍ତ୍ତମାନ ତରବରିଆ ଭାବେ ତାଙ୍କ ପିଏସଙ୍କ ବଦଳିକୁ ନେଇ ତୃତୀୟ ମହଲା ସହ ତାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି। ଖୋଦ୍ ମନ୍ତ୍ରୀଙ୍କ ଅଜାଣତରେ ତାଙ୍କ ପିଏସ୍‌ଙ୍କୁ ବଦଳି କରାଯିବା ତୃତୀୟ ମହଲାର କଠୋର ଆଭିମୁଖ୍ୟକୁ ଦର୍ଶାଉଛି। 

ଅପରପକ୍ଷରେ ଆଉ ଏକ ମହଲର କହିବା କଥା ହେଉଛି ଯେ ଶ୍ରୀ ବେହେରାଙ୍କ ବଦଳି ପଛରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର କିଛି ସମ୍ପର୍କ ରହିଥାଇ ପାରେ। କାରଣ ମୃତ ସୌମ୍ୟରଞ୍ଜନଙ୍କ ବାପା ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ସେ କିଛି ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ମନ୍ତ୍ରୀଙ୍କ ଇସାରାରେ ତଦନ୍ତକୁ ପ୍ରଭାବିତ କରାଯାଉଥିବା ସେ ଅଭିଯୋଗ କରିଥିଲେ । ଏବେ ପିଏସ୍‌ ଶ୍ରୀ ବେହେରାଙ୍କ ବଦଳି ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ମାମଲାରେ ସନ୍ଦେହ ଘେରକୁ ଆସିଛି । 

ସୂଚନା ମୁତାବକ ପାରଳାଖେମୁଣ୍ଡି ଡିଏଫଓଙ୍କ ବଦଳି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଉଥିବା ବେଳେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ବିରୋଧ କରୁଥିବା କୁହାଯାଉଛି । ଏବେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍‌ଙ୍କ ଅତର୍କିତ ବଦଳି ପରେ ସମ୍ପୂର୍ଣ୍ଣ ମନ୍ତ୍ରୀ କରିଡର୍ ଦୋହଲି ଯାଇଛି। 

ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମନ୍ତ୍ରୀମାନେ ନିଜ ପଦ ବଜାୟ ରଖିବାକୁ ଲବି କରୁଥିଲେ । କିନ୍ତୁ ଜଙ୍ଗଲ ମନ୍ତ୍ରୀଙ୍କ ପିଏସଙ୍କ ବଦଳି ଅନ୍ୟ ମନ୍ତ୍ରୀଙ୍କ ଭିତରେ ଛନକା ପଶିଛି। ସେମାନେ ଏବେ ନିଜ ପଦ ସମ୍ଭାଳିବେ ନା ପିଏସ୍‌ଙ୍କୁ ସୁରକ୍ଷା ଦେବେ ତାକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି।

ସୂଚନା ମୁତାବକ କେବଳ ଶ୍ରୀ ବେହେରା ନୁହେଁ ବରଂ ଆହୁରି କିଛି ପିଏସ୍ ମଧ୍ୟ ଥାର୍ଡ ଫ୍ଲୋରର ସ୍କାନରରେ ଥିବା କୁହାଯାଉଛି। କିଛି ବିଭାଗ ପକ୍ଷରୁ ଆସୁଥିବା ପ୍ରସ୍ତାବକୁ ନିର୍ଦ୍ଦିଷ୍ଟ ଦୁଇ ତିନି ଜଣ ପିଏସ୍ ସେହି ବିଭାଗର ମନ୍ତ୍ରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଥିବାର ସୂଚନା ତୃତୀୟ ମହଲା ପାଖରେ ପହଞ୍ଚିଛି । ତୃତୀୟ ମହଲାର ଗୁଡ୍ ବୁକ୍‌ରେ ଥିବା କିଛି ସଚିବ ଏଭଳି ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଜଣେ ରାଷ୍ଟ୍ର ମନ୍ତ୍ରୀଙ୍କ ପିଏସ୍ ଙ୍କ ଉପରେ ଗୁଇନ୍ଦା ନଜର ରହିଥିବା ନେଇ ସୂଚନା ରହିଛି। ସରକାରଙ୍କ ପୂର୍ବ ପାଳିରେ ମଧ୍ୟ ବିଭିନ୍ନ ମନ୍ତ୍ରୀଙ୍କ ପିଏସ୍ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ସେମାନଙ୍କ ପାଖରେ ରହିଛି । ଏବେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସ୍‌ଙ୍କ ବଦଳିକୁ ନେଇ ଅନ୍ୟ ପିଏସ୍‌ଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବାକୁ ସାଧାରଣତଃ ଓଏଏସ୍‌ ଅଧିକାରୀ ସୁରକ୍ଷିତ ଭାବନ୍ତି । କିନ୍ତୁ ଏମିତି ରାତି ଅଧିଆ ବଦଳି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି। 

Related Posts