ନିଜ ଦେଶର ଲୋକମାନଙ୍କୁ କମ୍ ଚା’ ପିଇବାକୁ କହିଲେ ମନ୍ତ୍ରୀ ଏହଶାନ ଇକବାଲ

ଇସଲାମାବାଦ: ଆର୍ଥିକ ସଙ୍କଟ ସ୍ଥିତି ମଧ୍ୟରେ ଗତି କରୁଥିବା ପାକିସ୍ତାନ ଏବେ ନିଜ ଦେଶର ସ୍ଥିତି ସୁଧାରିବାକୁ ଚେଷ୍ଟା ଆରମ୍ଭ କରିଛି। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପାକିସ୍ତାନର ମନ୍ତ୍ରୀ ଲୋକମାନଙ୍କୁ କମ ଚା’ ପିଇବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହାଦ୍ୱାରା ଦେଶର ଆମଦାନୀ ବିଲ୍‌ କମ ହୋଇପାରିବ ବୋଲି ଯୋଜନା ମନ୍ତ୍ରୀ ଏହଶାନ ଇକବାଲ ଏପରି କଥା କହିଛନ୍ତି।

ପାକିସ୍ତାନୀବାସୀ ୨୦୨୧-୨୨ ଆର୍ଥିକ ବର୍ଷରେ ୮୩.୮୮ ବିଲିୟନ ଟଙ୍କାର ଚା’ ପିଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ମନ୍ତ୍ରୀ ଇକବାଲ କହିଛନ୍ତି, “ଚା’ ଆମଦାନୀ କରିବାରେ ପାକିସ୍ତାନ ବିଶ୍ୱର ସବୁଠାରୁ ବଡ଼ ଦେଶ। ଚା’ ଆମଦାନୀ କରିବାକୁ ପାକିସ୍ତାନ ସରକାର ଋଣରେ ଟଙ୍କା ଆଣିଛନ୍ତି। ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଦିନକୁ ୧ରୁ ୨ କପ କମ ଚା’ ପିଅନ୍ତୁ। କାରଣ ଚା’ ପାଇଁ ସରକାରଙ୍କୁ ଋଣ କରିବାକୁ ପଡ଼ୁଛି।”

୨୦୨୦-୨୧ରେ ପାକିସ୍ତାନ ଚା’ର ଆମଦାନୀ ପାଇଁ ୭୦.୮୨ ବିଲିୟନ ଟଙ୍କା ଖର୍ଚ୍ଚ କରିଥିଲା। କିନ୍ତୁ ୨୦୨୧-୨୨ରେ ଅଧିକ ୧୩ ବିଲିୟନ ଟଙ୍କାର ଚା’ ଆମଦାନୀ କରାଯାଇଛି। ପାକିସ୍ତାନ ମନ୍ତ୍ରୀ ଇକବାଲ ଚା’ କମ ପିଇବାକୁ ଲୋକଙ୍କୁ କହିବା ପରେ ଏହାକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି।

Related Posts