ଫିଫା ବିଶ୍ଵକପ୍ ଜିତିବା ପରେ ଆର୍ଜେଣ୍ଟିନାରେ ପହଞ୍ଚିଲା ମେସିଙ୍କ ଦଳ, ଭବ୍ୟ ସ୍ଵାଗତ କଲେ ଦେଶବାସୀ

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ଆର୍ଜେଣ୍ଟିନା ଫିଫା ବିଶ୍ଵକପ୍ ଜିତିବା ପରେ ସମଗ୍ର ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ନିଜ ଦେଶକୁ ଫେରିବା ପରେ ବିଶ୍ଵ ଚାମ୍ପିଅନ ଦଳକୁ ଧୁମଧାମରେ ସ୍ଵାଗତ କରିଛନ୍ତି ଦେଶବାସୀ। ବିମାନ ବନ୍ଦରରେ ହଜାର ହଜାର ପ୍ରଶଂସକଙ୍କ ଭିଡ ଦଳକୁ ସ୍ଵାଗତ କରିଛନ୍ତି। ଅଧିନାୟକ ଲିଓନେଲ୍ ମେସିଙ୍କ ନେତୃତ୍ଵରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ଫାଇନାଲ୍‌ରେ ପେନାଲ୍ଟି ସୁଟଆଉଟ୍‌ରେ ୪-୨ରେ ହରାଇ ତୃତୀୟ ଥର ବିଶ୍ଵ ଚାମ୍ପିଅନ ହୋଇଛି। ୧୯୮୬ ପରେ ପ୍ରଥମ ଥର ଦଳ ଫିଫା ବିଶ୍ଵ କପ୍ ଜିତିଛି। ଖାସ୍ କରି ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା।

ମଙ୍ଗଳବାର ସକାଳେ(ଭାରତୀୟ ସମୟନୁସାରେ) ଆର୍ଜେଣ୍ଟିନା ଖେଳାଳି ରାଜଧାନୀ ବ୍ୟୁନସ ଆୟର୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏଠାରେ ହଜାର ହଜାର ସଂଖ୍ୟକ ଲୋକ ନିଜ ଚାମ୍ପିଅନ ଦଳକୁ ସ୍ଵାଗତ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ଅଧିନାୟକ ଲିଓନେଲ୍ ମେସି ହାତରେ ଟ୍ରଫି ଧରି ବିମାନରୁ ବାହାରିଥିଲେ ଏବଂ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

ଏଠାରୁ ଆର୍ଜେଣ୍ଟିନା ଖେଳାଳି ବସ୍‌ରେ ବସି ରୋଡ୍ ଶୋ କରିଛନ୍ତି। ଯେଉଁ ଯେଉଁ ମାର୍ଗ ଦେଇ ବସ୍ ଗତି କରିଥିଲା, ତାର ଉଭୟ ପାର୍ଶ୍ଵରେ ପ୍ରଶଂସକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଲୋକେ ସଡକକୁ ଓହ୍ଲାଇ ନିଜ ଖେଳାଳିଙ୍କୁ ଅଭିବାଦନ ଜଣାଇଛନ୍ତି। ବସ୍ ଉପରେ ଖେଳାଳି ଟ୍ରଫି ଧରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ରାଜଧାନୀର ଲୋକପ୍ରିୟ ସ୍ମାରକ ଓବିଲିସ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଖେଳାଳି ଖୋଲା ବସ୍‌ରେ ସହରକୁ ଗୋଟିଏ ଚକ୍କର ଲଗାଇଥିଲେ। ସ୍ମାରକ ଓବିଲିସ୍କ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଏଠାରେ ଲାଇଭ ବ୍ୟାଣ୍ଡ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ପରେଡ୍‌ର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

Related Posts