ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ ଆଜି ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଦଳର ବୈଠକରେ ସେ ଏହି ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି । ପାର୍ଟି ବୈଠକରେ ମାୟାବତୀ ତାଙ୍କର ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି ।
ଆକାଶ ଆନନ୍ଦ କିଏ?
ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସବା ସାନଭାଇ ଆନନ୍ଦ କୁମାରଙ୍କ ପୁଅ। ସେ ଲଣ୍ଡନରୁ ମାଷ୍ଟର ଅଫ୍ ବିଜନେସ ଆଡମିଷ୍ଟ୍ରେସନ କରି ଫେରିଛନ୍ତି । ଆକାଶ ଆନନ୍ଦ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ସେ ସହାରନପୁର ରାଲିରେ ମାୟାବତୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଥିଲେ । ଆକାଶ ଏବେ ପାର୍ଟିର ଜାତୀୟ ସଂଯୋଜକ ରହିଛନ୍ତି । ୨୦୧୭ ମସିହାରେ ମାୟାବତୀ ଆକାଶଙ୍କୁ ରାଜନୀତିରେ ଲଂଚ୍ କରିଥିଲେ ।
ହେଲେ ଉତ୍ତରପ୍ରଦେଶରେ ଆକାଶ ବିଏସପିରେ କାମ କରିବା ପରେ ଦଳ ଦିନକୁ ଦିନ ଦୁର୍ବଳ ହୋଇଛି । ୨୦୧୭ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏହାସହ ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ବିଏସପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା ।
ମାୟାବତୀ ଆଜି ତାଙ୍କ ଉତ୍ତରାଧିକାରୀ ଘୋଷଣା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆକାଶ ଆନନ୍ଦଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରି ମାୟାବତୀ ଜଣେ ଯୁବ ଚେହେରା ହାତରେ ନେତୃତ୍ୱ ସମର୍ପି ଦେବାକୁ ଦଳୀୟ ନେତା ସହଜରେ ଗ୍ରହଣ କରିପାରିବେ କି ନାହିଁ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।