ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତ ହୋଇଛନ୍ତି ଅନେକ ପ୍ରାଥମିକ ଶିକ୍ଷକ; ରିପୋର୍ଟ ଦେଉନାହାନ୍ତି ଡିଇଓ, ଡିପିସି, ବିଇଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ନକଲି ଶିକ୍ଷକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତ ହୋଇଛନ୍ତି ଅନେକ ପ୍ରାଥମିକ ଶିକ୍ଷକ । ଏପରିକି ସେମାନେ ପଦୋନ୍ନତି ବି ପାଇଛନ୍ତି। ସେପଟେ ଶତାଧିକ ନକଲି ଶିକ୍ଷକ ଇତିମଧ୍ୟରେ ଧରାପଡ଼ିଲେଣି। ତା’ପରେ ବି ସଂଖ୍ୟା କମୁନି। ଗତ ସେପ୍ଟେମ୍ବରରୁ ଏପର‌୍ୟ୍ୟନ୍ତ ୬୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିବା ସହ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ କିଛି ଜଣ ଭୟରେ ସ୍କୁଲ ହତା ମାଡ଼ୁନାହାନ୍ତି। ଏମିତି ସ୍ଥିତିରେ ବିଭାଗ ପୁଣି ତନାଘନା ଆରମ୍ଭକରିଛି। ଏବେ ପୁଣିଥରେ ନିର୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇ୨୨ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍, ମାର୍କସିଟ୍(ଏକାଡେମିକ/ଟ୍ରେନିଂ), ମାଇଗ୍ରେସନ ସାର୍ଟିଫିକେଟ୍, ପରୀକ୍ଷା ଫଳ ପ୍ରକାଶ, ଜାତିଗତ ପ୍ରମାଣପତ୍ର, ସର୍ଭିସ୍ ରେକର୍ଡ ଆଦି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କୁ ବହିଷ୍କାର କରିବା ସହ ଥାନାରେ ଏତଲା ଦେବାକୁ କୁହାଯାଇଛି।

ଅନ୍ୟପଟେ ନକଲି ଶିକ୍ଷକଙ୍କର ତନାଘନା ହେଉନି କି କାର‌୍ୟ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗଞ୍ଜାମ, କେନ୍ଦୁଝର, ରାୟଗଡ଼ା, ଗଜପତି ଜିଲ୍ଲା କଥା ନ କହିବା ଭଲ। ଅନେକ ବିଦା ହେଲେଣି। ଆଉ କିଛି ନକଲି ଶିକ୍ଷକଙ୍କ ସର୍ଟିଫିକେଟ୍ ଯାଞ୍ଚ ହେଉନି କି କାର‌୍ୟ୍ୟାନୁଷ୍ଠାନ ନିଆଯାଉନି। ଯାହାକୁ ନେଇ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ବି ଚିନ୍ତା ପ୍ରକଟ କରିଛି। ବାରମ୍ବାର ଚିଠି ଲେଖା ଯିବା ସତ୍ତ୍ବେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) କାହିଁକି ଯାଞ୍ଚ କରି ରିପୋର୍ଟ ଦେଉନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ମାନେ ବି ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଖାତିର କରୁନାହାନ୍ତି।

Related Posts