ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ। କୋର୍ଟଙ୍କ ଅନୁମତି ମିଳିବା ପରେ ସିସୋଦିଆ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ନିଜ ଘରେ ପହଞ୍ଚିଛନ୍ତି। ଆଜି ପ୍ରାୟ ସକାଳ 10ଟା ସମୟରେ ନିଜ ଦିଲ୍ଲୀ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ସିସୋଦିଆ।
ଏଥିପାଇଁ ସିସୋଦିଆଙ୍କୁ ଦିନ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଛଅ ଘଣ୍ଟାର ସମୟ ଦିଆଯାଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆଙ୍କ ପତ୍ନୀ ସୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏବଂ ରାଜନୈତିକ କାର୍ଯ୍ୟରେ ଯୋଗନଦେବାକୁ କଡା ଚେତାବନୀ ଦେଇଛନ୍ତି କୋର୍ଟ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ 26 ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ଏହା ପରେ ମାର୍ଚ୍ଚ 9ରେ ଉକ୍ତ ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସିବିଆଇ ଓ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି। ନିକଟରେ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।