କୋରାପୁଟ ଜିଲ୍ଲାର ମଣ୍ଡା ମଇଁଷିକୁ ଜାତୀୟ ମାନ୍ୟତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : “ମଣ୍ଡା ମଇଁଷି” ର ଏକ ସ୍ୱତନ୍ତ୍ର ପ୍ରଜନନ ପ୍ରକ୍ରିିୟା ରହିଆସିଛି। ଏହି ପ୍ରଜାତିର ମଇଁଷିଙ୍କୁ କେବଳ ଓଡିଶାରେ ହିଁ ଦେଖିବାକୁ ମିଳଥାଏ । ଓଡିଶାର ପୂର୍ବାଞ୍ଚଳ ଘାଟ ପର୍ବତମାଳାର ଭୌଗୋଳିକ ବିଭାଜନ ସ୍ଥିତି ତଥା କୋରାପୁଟ ଅଂଚଳ ମାଳଭୂମି ସ୍ଥିତି ଯୋଗୁଁ ମଣ୍ଡା ମଇଁଷିର ଏକ ସ୍ୱତନ୍ତ୍ର ବା ଅନନ୍ୟ ପ୍ରଜନନ ପ୍ରକ୍ରିିୟା ରହିଆସିଛି। ସେମାନଙ୍କ ଦେହର ରଙ୍ଗ ସାଧାରଣତଃ ଧୂସର ପାଉଁଶିଆ ଓ ଧୂସର ରଙ୍ଗର ଦେଖାଯାଏ ।ଗୋଡର ତଳି ଭାଗରୁ ଗଣ୍ଡି ପର୍ଯ୍ୟନ୍ତ ଫିକାରଙ୍ଗ ଓ ଆଣ୍ଠୁ ପାଖରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ଏହି ପ୍ରଜାତିର କେତେକ ମଇଁଷିଙ୍କର ରୂପେଲି ଧଳା ରଙ୍ଗର ଦେହ ହୋଇଥାଏ । ଏହି ପ୍ରାଣୀମାନଙ୍କୁ ପ୍ରାୟତଃ କୌଣସି ସଂକ୍ରମଣ ହୋଇନଥାଏ ଏବଂ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ । ଏମାନେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତମ ଭାବେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥା’ନ୍ତି ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷି ପ୍ରଜାତି ବୀଜାଣୁ ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓ.ୟୁ.ଏ.ଟି) ର ମିଳିତ ସହଯୋଗରେ ତଥା ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ,ଆଇ.ଏ.ଏସ୍ ଏବଂ ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡଃ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା ଏବଂ ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ଏନ୍‌.ବି.ଏ.ଜି.ଆର ଙ୍କ ନିକଟରେ ଉପସ୍ଥାପିତ କରାଯାଇ ମଣ୍ଡା ମଇଁଷି ଅନନ୍ୟ ଏବଂ ଏହା କେବଳ ଓଡିଶାରେ ହିଁ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ ନିମନ୍ତେ ଦାବୀ କରାଯାଇଥିଲା । ବର୍ତ୍ତମାନ ଏହି ପ୍ରଜାତିର ମଇଁଷିକୁ ସମଗ୍ର ଦେଶରେ ୧୯ ତମ ପ୍ରଜାତି(ବ୍ରିଡ୍‌) ଭାବେ ମାନ୍ୟତା ଦିଆଯାଇଛି। ମଣ୍ଡା ମଇଁଷି ଆକାରରେ ଛୋଟ। କିନ୍ତୁ ବେଶ୍ ହୃଷ୍ଟପୃଷ୍ଟ । ଏହି ପ୍ରଜାତିର ଉଭୟ ଅଣ୍ଡିରା ଏବଂ ମାଇ ମଇଁଷିକୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ ।

ବର୍ତମାନ ଏହି ପ୍ରଜାତିର ଅନ୍ୟୁନ ୧ଲକ୍ଷ ମଇଁଷି ପାର୍ବତ୍ୟ ମାଳଅଂଚଳରେ ରହୁଛନ୍ତି। ଏହି ପ୍ରଜାତିର ମଇଁଷିମାନଙ୍କ କ୍ଷୀର ଉତ୍ପାଦନ କ୍ଷମତା ପ୍ରତି ଥରରେ ହାରାହାରି ୨ରୁ ୨.୫ ଲିଟର ଥିବାବେଳେ ଏଥିରେ ୮ ପ୍ରତିଶତ ଚର୍ବି ଅଂଶ ରହିଥାଏ । କିଛି କିଛି କ୍ଷେତ୍ରରେ ଏହି ମଇଁଷିଗୁଡିକ ୪ ଲିଟର ପର୍ଯ୍ୟନ୍ତ କ୍ଷୀର ମଧ୍ୟ ଦେଇଥା’ନ୍ତି । ମଣ୍ଡା ମଇଁଷି ୩ ବର୍ଷର ହେବା ବେଳକୁ ପ୍ରାପ୍ତ ବୟସ୍କା ହୋଇଥାଏ ଏବଂ ୪ ବର୍ଷ ହେବା ବେଳକୁ ପ୍ରଥମ ବାଛୁରୀ ଜନ୍ମ କରିଥା’ଏ । ୨୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢରୁ ୨ ବର୍ଷରେ ବାଛୁରୀ ଜନ୍ମ କରିଥାଏ ।

ମଣ୍ଡା ମଇଁଷିଙ୍କୁ ଜାତୀୟ ମାନ୍ୟତା ମିଳିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅନନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣକରିବା ସହିତ ପ୍ରୟାସ ଜାରି ରଖିବେ । ଏହି ପ୍ରଜାତିମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହିତ କ୍ଷୀର, ଦହି, ଘିଅ ଆଦି ଉତ୍ପାଦ ଦ୍ରବ୍ୟର ବିକ୍ରି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି କରିବା ପାଇଁ ପ୍ରୟାସ କରିବେ। ବର୍ତମାନ ରାଜ୍ୟରେ ସମସ୍ତ ପ୍ରଜାତି ନିମନ୍ତେ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସମଗ୍ର ଦେଶରେ ସଂରକ୍ଷଣ ପ୍ରକ୍ରିୟା କ୍ଷେତ୍ରରେ ବିଞ୍ଝାରପୁର ଗୋ-ବୀର୍ଯ୍ୟ ଉତ୍ପାଦନ ଏବଂ ଏହାର କୃତ୍ରିମ ପ୍ରଜନନ ପଦ୍ଧତି ନିମନ୍ତେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Related Posts