(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଖୁବଶୀଘ୍ର ବିଧାନସଭା ଉପ-ନିର୍ବାଚନ କରିବା ପାଇଁ ଶାସକ ଦଳ ତୃଣମୂଳ କଂଗ୍ରେସ ଦାବି କରିଛି । ଏ ପ୍ରସଙ୍ଗକୁ ନେଇ ସ୍ୱୟଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିନ୍ତାରେ ପଡିଛନ୍ତି । କାହିଁକି ନା ରାଜ୍ୟରେ ଯଦି କରୋନା ମାମଲା ବୃଦ୍ଧି ହୁଏ, ତାହାଲେ ନିର୍ବାଚନ ଆୟୋଗ ଉପ-ନିର୍ବାଚନ ବନ୍ଦ କରିପାରନ୍ତି । ଏପରି ହେଲେ ମମତା ତାଙ୍କ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇ ବସିବେ । ଏହି ପରିପ୍ରେକ୍ଷୀରେ ଆଜି ପାଞ୍ଚଜଣିଆ ପ୍ରତିନିଧୀ ଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ଭେଟି ଚିଠି ପ୍ରଦାନ କରିବେ। ଏଥିମଧ୍ୟରେ ସାଂସଦ ସୌଗତା ରୟ, ସୁଖେନ୍ଦୁ ଏସ ରେ, ଜୌହର ସରକାର, ସାଜଦା ଅହମ୍ମଦ ଏବଂ ମହୁଆ ମିତ୍ର ପ୍ରଭୁତି ଥିଲେ । ତେବେ ସମସ୍ତେ ଖୁବଶୀଘ୍ର ପଶ୍ଚିମବଙ୍ଗ ବିଧାନସଭାର ଖାଲି ଆସନରେ ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି ।
ଅପରିପକ୍ଷେ ନଭେମ୍ବର ୫ ତାରିଖ ସୁଦ୍ଧା ମମତା ବାନାର୍ଜୀ ଏବଂ ତାଙ୍କ ସରକାରଙ୍କ ଅର୍ଥମନ୍ତ୍ରୀ ବିଧାନସଭାର ସଦସ୍ୟ ହେବା ଆବଶ୍ୟକ। ମେ ମାସରେ ହୋଇଥିବା ନିର୍ବାଚନ ଫଳାଫଳରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ନିର୍ବାଚନରେ ହାରି ଯାଇଥିଲେ। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଆଦିକାରୀ ଜିତିଥିଲେ। ଅନ୍ୟପଟେ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏନେଇ ତୃଣମୂଳ କଂଗ୍ରେସର ନେତା ଶୋଭାନ ଦେବ ମମତା ବାନର୍ଜୀଙ୍କ ପାଇଁ ଭବାନୀପୁରରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଭବାନୀପୁର ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରମ୍ପାରିକ ଆସନ ହୋଇଛି। ମମତା ବାନାର୍ଜୀ ପୂର୍ବରୁ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିଆସୁଥିଲେ ମଧ୍ୟ ୨୦୨୧ ମସିହାରେ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଠାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଏଭଳି ପରିସ୍ଥିତିରେ ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ କୌଣସି ବିଧାନସଭା ଆସନରୁ ନିର୍ବାଚନ ଜିତିବାକୁ ପଡ଼ିବ। ତେବେ ପଶ୍ଚିମବଙ୍ଗରେ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଲୋକସଭାରେ ଭୋଟ୍ ଦେବାର ଏବଂ ପ୍ରତିନିଧୀ ଚୟନ କରିବାର ଅଧିକାର ରହିଛି। ନିର୍ବାଚନ ଆୟୋଗ ଶୀଘ୍ର ଉପ-ନିର୍ବାଚନ ଘୋଷଣା କରିବା ଉଚିତ, କାରଣ ଆମେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିପାରିବୁ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।