ଓଡିଶାର ଇ-ଟୋଲ ଗେଟ୍‍ ବ୍ୟବସ୍ଥା ଯୋଗୁଁ ଆନ୍ଧ୍ର ବସ୍‍ ମାଲିକ ମାଲେମାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ଭିତରେ ବେଧଡକ ବେପାର ଚଳାଇ ମାଲେମାଲ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବସ୍ ମାଲିକ। ଓଡିଶାର ଇ-ଟୋଲ ଗେଟ୍‍ ବ୍ୟବସ୍ଥା ଏବେ ଆନ୍ଧ୍ର ବସ୍‍ ମାଲିକଙ୍କ ପାଇଁ ଲାଭବାନ ହେବାର ବାଟ ଫିଟାଇ ଦେଇଛି। ଏବଂ ଏହାର ଫାଇଦା ଉଠାଇ ଆନ୍ଧ୍ରପ୍ରଦେଶ ବସ୍ ମାଲିକ ମାନେ ଓଡିଶା ଭିତରେ ବେଧଡକ ବେପାର ଚଳାଇ ମାଲେମାଲ ହେଉଥିବା ବେଳେ ଓଡିଶାର ବସ୍‍ ମାଲିକମାନେ କିନ୍ତୁ ଆନ୍ଧ୍ର ଭିତରେ ପଶିପାରୁ ନାହାନ୍ତି ।

ଓଡିଶାର ବସ୍‍ ମାଲିକଙ୍କ ମତ ହେଉଛି ଆନ୍ଧ୍ରପ୍ରଦେଶରୁ ଦୈନିକ ୧୫/୨୦ଟି ବସ୍‍ ରାଜଧାନୀ ଭୁବନେଶ୍ୱରକୁ ଚଳାଚଳ କରୁଥିବା ବେଳେ ଓଡିଶା ବସ୍‍ ମାଲିକମାନଙ୍କ ଗାଡି ଆନ୍ଧ୍ର ଭିତରକୁ ପ୍ରବେଶ କରି ପାରୁ ନାହିଁ । ସେପଟେ ସେମାନଙ୍କ ବେପାର ଦିନକୁ ଦିନ ବଢିବାରେ ଲାଗିଛି । ଓଡିଶା ବସ୍‍ଗୁଡିକ ଆନ୍ଧ୍ରକୁ ଯିବାକୁ ହେଲେ ସବୁକିଛି ମାନୁଆଲ ଭାବେ କରିବାକୁ ପଡିବ । ସେହି ରାଜ୍ୟର ପରିବହନ ବିଭାଗର ଅନୁମତି ସହିତ ସମ୍ପୃକ୍ତ ଅଞ୍ଚଳର ଆରଟିଓମାନଙ୍କ ଠାରୁ ଅନୁମତି ଆଣିବାକୁ ହେବ । ଆଉ ଏଭଳି ପ୍ରୋସେସ୍ ଓଡିଶାର ବସ୍ ମାଲିକ ମାନଙ୍କ ପାଇଁ କାଠିକରପାଠ । ଆନ୍ଧ୍ର ବସ୍‍ଗୁଡିକ ଦୁଇ ରୁ ଅଢେଇ ହଜାର ଖର୍ଚ୍ଚକରି ଓଡିଶାରେ ପ୍ରବେଶ କରୁଥିବାବେଳେ ଓଡିଶା ବସ୍‍ ମାଲିକଙ୍କୁ ଏଥିପାଇଁ ପାଖାପାଖି ୧୫ ରୁ ୧୬ ହଜାର ଟଙ୍କା ଗଣିବାକୁ ପଡିବ ।

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆନ୍ଧ୍ରର ବସ୍‍ଗୁଡିକ ଚଳାଚଳ କରୁଥିବାବେଳେ ଓଡିଶାର ବସ୍‍ଗୁଡିକ ନାଚାର । କରୋନା ପରବର୍ତ୍ତୀ ସମୟରେ ସ୍ଥାନୀୟ ରୁଟ୍‍ରେ ବସ୍‍ ଚଳଇ କ୍ଷତି ସହୁଥିବା କିଛି ଗାଡିମାଲିକ ଆନ୍ଧ୍ରକୁ ବସ୍‍ ଚଳାଇବାକୁ ଚାହୁଁଥିଲେ ମଧ୍ୟ ସେଥିରେ ବିଫଳ ।

ଏ ନେଇ କିଛି ବସ୍‍ମାଲିକ କହିଛନ୍ତି ଯେ ଆନ୍ଧ୍ରକୁ ବସ୍‍ ଚଳାଚଳ ନେଇ ରାଜ୍ୟ ପରିବହନ ବିଭାଗ ସହିତ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।

ପରିବହନ ବିଭାଗ କିଛି ଅଧିକାରୀଙ୍କ କହିବା କଥା ହେଉଛି ଯେ ରାଜ୍ୟ ସରକାର ଇ-ଟୋଲଗେଟ୍‍ ବ୍ୟବସ୍ଥା କରି ଜାତୀୟ ସ୍ତରରେ ବାହାବା ନେଇଥିବାବେଳେ ଏହାର କୁପରିଣାମ ଭୋଗୁଛନ୍ତି ରାଜ୍ୟର ବସ୍‍ମାଲିକମାନେ । ସୀମାନ୍ତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ସମୟରେ ପଡୋଶୀ ରାଜ୍ୟର ବ୍ୟବସ୍ଥାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ଥିଲା ବୋଲି ଏବେ ମତ ରଖିଛନ୍ତି ।

କିଛି ବସ୍‍ ମାଲିକଙ୍କ ଅଭିଯୋଗ ହେଉଛି ଯେ ଯଦି ଓଡିଶାର କୌଣସି ବସ୍‍ ଆନ୍ଧ୍ର ସୀମା ପାର କରୁଛି ତେବେ ସେଠାକାର ଟ୍ରାଫିକ ଠାରୁ ଆରମ୍ଭ କରି ପୁଲିସ୍‍ର ଜୁଲମ ସହିବକୁ ପଡୁଛି । ତେଣୁ ଯେଉଁମାନେ ଥରେ ଆନ୍ଧ୍ରକୁ ବସ ଚଳାଉଛନ୍ତି ସେମାନେ ଗାଡି ଠିଆ କରାଉଛନ୍ତି ପଛେ ଦ୍ୱିତୀୟବାର ନେଉ ନାହାନ୍ତି । ଏଭଳି ସ୍ଥିତିରେ ଓଡିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବସ୍‍ ବ୍ୟବସାୟୀମାନେ ଦାବି ରଖିଛନ୍ତି।

Related Posts