Cash for Question ମାମଲାରେ ବଢ଼ିଲା ମହୁଆଙ୍କ ଅଡୁଆ: ଦୋଷ ମାନିଗଲେ ହୀରାନନ୍ଦାନୀ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟଙ୍କା ନେଇ ଲୋକସଭାରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିବା ମାମଲାରେ ବଢିଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ | ମହୁଆ ଏଥିପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ଓ ଉପହାର ନେଇଥିବା ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏବେ ନିଜେ ଏହାକୁ ସ୍ୱୀକାର କରିଛନ୍ତି ଦର୍ଶନ ହୀରାନନ୍ଦାନୀ |

ଏକ ଆପିଡେ଼ଫିଟ ରେ ଦର୍ଶନ ହୀରାନନ୍ଦାନୀ କହିଛନ୍ତି ଯେ, 2017 ମସିହାରେ ପ୍ରଥମଥର ପାଇଁ କୋଲକାତାରେ ଗ୍ଲୋବାଲ ବିଜନେସ ସମିଟ ସେ ପ୍ରଥମ ଥର ପାଇଁ ମହୁଆଙ୍କୁ ଭେଟିଥିଲେ | କ୍ରମଶଃ ତାଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା | 2019ରେ ସେ ମହୁଆ ଲୋକସଭାକୁ ନିର୍ବାଚିତ ହେବାପରେ, କମ ସମୟ ମଧ୍ୟରେ ଜାତୀୟ ସ୍ତରରେ ନିଜ ନାଁ କରିବାକୁ ଚାହୁଁଥିଲେ | ସେଥିପାଇଁ ସିଧାସଳଖ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ | ହେଲେ ମୋଦିଙ୍କ ବିରୋଧରେ ସେଭଳି କୌଣସି ପ୍ରସଙ୍ଗ ନଥିବାରୁ ସେ ଗୌତମ ଆଦାନିଙ୍କ ଜରିଆରେ ତାଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ | ଆଉ ଅଦାନୀ ଗ୍ରୁପ ବାବଦରେ ସବୁଶେଷ ତଥ୍ୟ ପାଇଁ ମହୁଆ ହୀରାନନ୍ଦାନୀଙ୍କ ସହାୟତା ନେଉଥିଲେ | ଏପରିକି ନିଜ ଲୋକସଭା ୱେବସାଇଟର ଆଇଡି ଓ ପାସୱାର୍ଡ଼କୁ ମହୁଆ ହୀରାନନ୍ଦାନୀଙ୍କୁ ଦେଇଥିବା ନିଜେ ହୀରାନନ୍ଦାନୀ କହିଛନ୍ତି | ଆଉ ଅଦାନୀ ଗ୍ରୁପ ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ କରି ମହୁଆ ଖୁବ କମ ଦିନରେ ବିରୋଧୀ ଦଳର ପ୍ରମୁଖ ନେତାଙ୍କର ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ସେ କହିଛନ୍ତି | ଏପରିକି ମହୁଆଙ୍କର ବିଭିନ୍ନ ରାଜ୍ୟର ନେତାଙ୍କ ସହ ଭଲ ସମ୍ପର୍କ ଥିବାରୁ ତାଙ୍କ ସାହାଯ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ନିଜର ବ୍ୟବସାୟ ବିସ୍ତାର କରିବାକୁ ସେ ଲକ୍ଷ୍ୟ ରଖିଥିବା ହୀରାନନ୍ଦାନୀ କହିଛନ୍ତି | ଆଉ ଏଥିପାଇଁ ମହୁଆ ତାଙ୍କ ନିକଟରୁ ବହୁ ଦାମୀ ଉପହାର ନେଇଥିବା ନିଜ ଆପିଡେ଼ଫିଟ ରେ ସ୍ୱୀକାର କରିଛନ୍ତି ଦର୍ଶନ ହୀରାନନ୍ଦାନୀ |

ସେପଟେ ହୀରାନନ୍ଦାନୀଙ୍କ ଏହି ଆପିଡେ଼ଫିଟର ଜବାବ ରଖିଛନ୍ତି ମହୁଆ | ଏକ ପ୍ରେସ ରିଲିଜ ଜାରି କରି ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷଡଯନ୍ତ୍ର ବୋଲି ସେ କହିଛନ୍ତି | ଏପରିକି ହୀରାନନ୍ଦାନୀଙ୍କ ପକ୍ଷରୁ ଜାରି ହୋଇଥିବା ଆପିଡେ଼ଫିଟରେ କୌଣସି ଲେଟର ହେଡ଼ ନଥିବା ମହୁଆ କହିଛନ୍ତି | ଜଣେ ପ୍ରତିଷ୍ଠାବାନ ବ୍ୟବସାୟୀ କାହିଁକି ଏଭଳି ଲେଟର ହେଡ଼ ନଥିବା ଏକ ସାଧା କାଗଜରେ ଦସ୍ତଖତ କରିବେ ବୋଲି ମହୁଆ ପ୍ରଶ୍ନ କରିଛନ୍ତି | ଏପରିକି ଏହି ଆପିଡେ଼ଫିଟଟି ବିଜେପି ଆଇଟି ସେଲର ସ୍କ୍ରିପ୍ଟ ରାଇଟରଙ୍କ ଦ୍ୱାରା ଲେଖାଯାଇଛି ବୋଲି ମହୁଆ ଅଭିଯୋଗ କରିଛନ୍ତି |

ଏହି ଘଟଣା ଏବେ ଜାତୀୟ ରାଜନୀତିକୁ ସରଗରମ କରିଥିବାବେଳେ ଆସନ୍ତା 26 ତାରିଖରେ ଲୋକସଭା ଏଥିକ୍ସ କମିଟି ନିକଟରେ ଏହାର ଶୁଣାଣି ହେବାକୁ ଅଛି | ଏଭଳି ସ୍ଥିତିରେ ଏହି ମାମଲା ଆଗକୁ କେଉଁ ମୋଡ଼ ନେଉଛି ତାହାରି ଉପରେ ଏବେ ସମସ୍ତଙ୍କ ନଜର |

Related Posts