ହିରାନନ୍ଦାନୀଙ୍କୁ ସଂସଦର ଲଗ୍‌ଇନ୍‌ ପାସଓ୍ୱାର୍ଡ ଦେଇଥିବା ମାନିଲେ ମହୁଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଆରୋପ-ପ୍ରତ୍ୟାରୋପ ପରେ ଟିଏମସି ସାଂସଦ ମହୁଆ ମୋଇତ୍ର ଶେଷରେ ସ୍ୱୀକାର କରିଛନ୍ତି ଯେ, ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିଲେ। ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏହା ସ୍ୱୀକାର କରିଛନ୍ତି ମହୁଆ | ହେଲେ ଏହା ବଦଳରେ ସେ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ଅସ୍ୱୀକାର କରିଛନ୍ତି।

ମହୁଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ତାଙ୍କ ସଂସଦର ଲଗଇନ ଏବଂ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଛନ୍ତି, କାରଣ କାହାର ଲଗଇନ କିଏ କରିପାରିବ ଏବଂ କିଏ କରିପାରିବ ନାହିଁ ସେନେଇ କୌଣସି ନିୟମ ନାହିଁ। କୌଣସି ସାଂସଦ ନିଜେ ପ୍ରଶ୍ନ ପଚାରନ୍ତି ନାହିଁ। ଲଗଇନ ଏବଂ ପାସୱାର୍ଡ ତାଙ୍କ ଦଳ ସହିତ ରହିଥାଏ। ତେବେ କେବଳ ପାସୱାର୍ଡ ଦ୍ୱାରା ଏହି ୱେବସାଇଟରେ ଲଗଇନ କରାଯାଇପାରିବ ନାହିଁ। ଏଥିପାଇଁ ଏକ ଓଟିପି କେବଳ ସମ୍ପୃକ୍ତ ସାଂସଦଙ୍କ ଫୋନରେ ଆସେ ବୋଲି ମହୁଆ କହିଛନ୍ତି।

ସମାନ ଭାବରେ ହିରାନନ୍ଦାନୀଙ୍କୁ ପାସଓ୍ୱାର୍ଡ ଦେବାନେଇ ସେ କହିଛନ୍ତି ଯେ, ମୋର ସଂସଦୀୟ କ୍ଷେତ୍ର ଏକ ଦୁର୍ଗମ ଅଞ୍ଚଳ ଅଟେ | ମୁଁ ଅଧିକାଂଶ ସମୟ ସେଠାରେ ବ୍ୟସ୍ତ ରହେ ତେଣୁ ଜଣେ ବନ୍ଧୁ ହିସାବରେ ମୋର ପ୍ରଶ୍ନ ଗୁଡିକୁ ଉପଲୋଡ କରିବାକୁ ମୁଁ ହିରାନନ୍ଦାନୀଙ୍କୁ ପାସଓ୍ୱାର୍ଡ ଦେଇଥିଲି | ହିରାନନ୍ଦାନୀଙ୍କ ଅଫିସର ଜଣେ କର୍ମଚାରୀ ଏଥିରେ ପ୍ରଶ୍ନ ଗୁଡିକୁ କେବଳ ଟାଇପ କରି ଅପଲୋଡ଼ କରିଥିଲେ | ହେଲେ ଅପଲୋଡ଼ ପୂର୍ବରୁ ମୋ ମୋବାଇଲ କୁ ଓଟିପି ଆସିଥିଲା ଓ ସେ ଓଟିପିକୁ ମୁଁ ସେୟାର କରିଥିଲି ବୋଲି କହିଛନ୍ତି ମହୁଆ | ସେପଟେ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ନେଇ ସେ କହିଛନ୍ତି ଯେ, ଯେକେହି ବି ଅଭିଯୋଗ କରିପାରିବେ, କିନ୍ତୁ ଅଭିଯୋଗକୁ ସବୁବେଳେ ଅଭିଯୋଗକାରୀ ପ୍ରମାଣ କରିବା ଦରକାର ବୋଲି ମହୁଆ କହିଛନ୍ତି ।

ସେପଟେ ଆଜି ଲୋକସଭା ଏଥିକ୍ସ କମିଟି ଆସନ୍ତା ନଭେମ୍ବର ୨ ତାରିଖରେ ମହୁଆଙ୍କୁ ହାଜର ହେବାକୁ ସମନ ଜାରି କରିଛି। ଆଉ ହାଜର ହେବା ପୂର୍ବରୁ ମହୁଆ ଜାତୀୟ ଗଣମାଧ୍ୟମରେ ଏହି ମନ୍ତବ୍ୟ ରଖିଛନ୍ତି | ଯାହା ତାଙ୍କ ଅଡୁଆ ଆହୁରି ବଢ଼ାଇପାରେ ବୋଲି କୁହାଯାଉଛି।

Related Posts