ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭା ସାଂସଦ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଏହା ବିରୋଧରେ ସୋମବାର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନରେ ମହୁଆ କହିଛନ୍ତି ଯେ, ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରି ଅନ୍ୟାୟ କରାଯାଇଛି।
ସୂଚନାଯୋଗ୍ୟ, ଲୋକସଭା ଏଥିକ୍ସ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବା ପରେ ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ବହିଷ୍କାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ମହୁଆ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କଠାରୁ ଲାଞ୍ଚ ଓ ଉପହାର ନେଇଥିଲେ। ଏଥି ସହ ସେ ସଂସଦ ୱେବ୍ସାଇଟ୍ର ଲଗ୍ଇନ୍ ବିବରଣୀ ମଧ୍ୟ ହୀରାନନ୍ଦାନିଙ୍କୁ ଦେଇଥିଲେ। ମହୁଆଙ୍କ ଅଭିଯୋଗ ଅନୁଯାୟୀ, ଏଥିକ୍ସ କମିଟି ସମସ୍ତ ନିୟମ ଭାଙ୍ଗିଛି। ଗୃହରେ ନିଜ ସପକ୍ଷରେ ସଫେଇ ଦେବାର ସୁଯୋଗ ତାଙ୍କୁ ଦିଆଯାଇ ନ ଥିଲା। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ତଥା ସୁପ୍ରିମ୍କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ କ୍ରସ୍-ଏକ୍ଜାମିନ୍ (ଜେରା) କରିବାର ସୁଯୋଗ ମଧ୍ୟ ତାଙ୍କୁ ଦିଆଯାଇ ନ ଥିବା ମହୁଆ ଅଭିଯୋଗ କରିଛନ୍ତି।