ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ

ଭୁବନେଶ୍ୱର : ବହୁ ଚର୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାକୁ ନେଇ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡ଼ା ଓ ଜୋରଜବରଦସ୍ତ ଭିତରେ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ । ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

ସୂଚନା ଥାଉକି, ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ ।

ଶିବ ଆତ୍ମସମର୍ପଣ ପରେ ପୁଲିସ ଆଗରେ ହତ୍ୟାକାଣ୍ଡ କେମିତି କରିଥିଲା ସେ ବିଷୟରେ ବଖାଣିଛି । ସେ କହିଛି, ‘୧୦-୧୫ ବର୍ଷ ହେଲା ସେମାନଙ୍କ ଉପରେ ମୋର ରାଗ ଥିଲା । ସେମାନେ ମୋତେ ବହୁତ ହଇରାଣ କରୁଥିଲେ । ସୋମବାର ରାତିରେ ଆମେ ସମସ୍ତେ ଖାଇ ପିଇ ଶୋଇଥିଲୁ । ବିଳମ୍ବିତ ରାତିରେ ମୋ ନିଦ ଭାଙ୍ଗିଗଲା । ମୁଁ ଘର ବାହାରକୁ ଯିବାକୁ ଚାହିଁବାରୁ ଗେଟରେ ତାଲା ପଡ଼ିଥିଲା । ତାଲା ଖୋଲିବା ପାଇଁ ଡାକିବାରୁ ଭାଉଜ ବିରକ୍ତ ହୋଇଥିଲେ, ଯୁକ୍ତିତର୍କ ବି କରିଥିଲେ । ସେଇ ରାଗରେ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ମୁଁ ଯୋଜନା କରିଥିଲି । କବାଟ ବାଡେଇବା ପରେ ଭାଉଜ କବାଟ ଖୋଲିଥିଲେ। ପ୍ରଥମେ ତାଙ୍କୁ ହାଣିଲି । ଆଉ ତାପରେ ଅନ୍ଧାର ଘର ଭିତରେ ମୋ କଟୁରୀ ଆଗରେ ଯିଏ ବି ପଡ଼ିଲା ସମସ୍ତଙ୍କୁ ହାଣିଲି ।

ଘଣ୍ଟାଏ ଧରି ହଣାକଟା ଚାଲିଥିଲା । ପ୍ରକୃତରେ ସମସ୍ତେ ମଲେ ନା ନାହିଁ, ତାକୁ ଜାଣିପାରିଲିନି । ସେଇଥିପାଇଁ ଗୋଡ଼ର ଗୋଚ୍ଛି ସବୁ କାଟିଦେଲି ବୋଲି ଶିବ କୁଆଡ଼େ ପୁଲିସ ଆଗରେ କହିଛି । ରକ୍ତଭିଜା ଲୁଗା, କଟୁରି ଧୋଇ ଗାଧୋଇବା ପରେ ଘରେ ତାଲା ପକାଇ ସେ ଘରୁ ବାହାରି ଯାଇଥିବା କୁହାଯାଉଛି । ଏହାପରେ ସେ ହତ୍ୟାର ସ୍ବୀକାର ପାଇଁ ଭିଡିଓ ଭାଇରାଲ କରିବା ସହ କୁସୁପୁରରୁ ମାହାଙ୍ଗା ଥାନା ଅଧିକ ଦୂର ହୋଇଥିବାରୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା ।

ସେପଟେ ସେ ଏକା ସମସ୍ତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

Related Posts