ସ୍ଥାନୀୟ ନିଯୁକ୍ତି ଦାବି; କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ କାରଖାନା ସମ୍ମୁଖରେ ଯୁବକ ଯୁବତୀଙ୍କ ବିରୋଧ ପ୍ରଦର୍ଶନ

ଭୂଆନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିକରି ଶୁକ୍ରବାର କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନଲେସ କାରଖାନା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି। କଳିଙ୍ଗନଗର ମଜଦୁର ୟୁନିୟନ ନେତୃତ୍ଵରେ ସୁକିନ୍ଦା ବେକାର ଯୁବକମାନଙ୍କ ଡାକରାରେ ଜିନ୍ଦଲ ଫାଟକ ସମ୍ମୁଖରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।ତଦନୁସାରେ ଶୁକ୍ରବାର ପୂର୍ବାହ୍ନରେ ସହସ୍ରାଧିକ ଯୁବକଙ୍କ ଶୋଭାଯାତ୍ରା ମାନପୁର ରେଳ ଓଭରବ୍ରିଜ ନିକଟରୁ ବାହାରିଥିଲା। କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ନାରାବାଜି କରି ସେମାନେ ସ୍ଥାନୀୟ ନିଯୁକ୍ତି ଦାବି କରିଥିଲେ। ପରେ କାରଖାନା ସମ୍ମୁଖରେ ଯୁବକ ଯୁବତୀମାନେ ଧାରଣାରେ ବସିଥିଲେ।

ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌ ଟପୋ, ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଓ ଜିନ୍ଦଲ କାରଖାନାର ବାହ୍ୟ ସମ୍ପର୍କ ବିଭାଗ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ। ୮ ଦିନ ମଧ୍ୟରେ ପ୍ରଶାସନ ଉଦ୍ୟମରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କଳିଙ୍ଗନଗର ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଅଜାର ଅହମ୍ମଦ ଖାନ ଓ ଚନ୍ଦନ କର, ସୁଜିତ ରାଉତ, ଜୟନ୍ତ ରାଉତ, ମନୋଜ ବେହେରା, ଦୁର୍ଯ୍ୟୋଧନ ବେହେରା, ସୁଦାମ ପୋଇ, ଏସକେ ମୁର୍ସଲିମ, ତାରିଖ ଅଜିଜ, ପ୍ରଦୀପ ବିଶ୍ଵାଳ, କୃଷ୍ଣା ପ୍ରଧାନ, କ୍ରୁଷ୍ଣ ପାଳ, ବିଜୟ ଦଳାଇ, ଧର୍ମେନ୍ଦ୍ର ଜେନା, ମୃତ୍ୟୁଞ୍ଜୟ ଦେଓ, ସୁରେଶ ମହାନ୍ତ ଓ ରୁଦ୍ର ନାରାୟଣ ଦାସ ଏବଂ ନାରୀ ନେତ୍ରୀ ଅବନ୍ତୀ ସାମଲଙ୍କ ସହିତ ବହୁ ଯୁବକ ଯୁବତୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

Related Posts