ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ଚଢାଇଦେବା ପ୍ରସଙ୍ଗ: ଏହି ଘଟଣା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ: କଂଗ୍ରେସ

ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍‌ ଭିଡ଼ ଭିତରକୁ ଗାଡ଼ି ପଶାଇଦେବା ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ପୁଲିସ୍‌ କର୍ମଚାରୀ ଥିବା ଜଣାଯାଇଛି।

ସେପଟେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି | ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି | ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଇନ ଅନୁଯାୟୀ ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ପର୍ଦ୍ଦାଫାସ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ । କିନ୍ତୁ ଏହା ପ୍ରତିବଦଳରେ ଯେଉଁ ପ୍ରତି ଆକ୍ରମଣରେ ବିଧାୟକ ଓ ପୋଲିସଙ୍କୁ ଲୋକେ ଲହୁଲୁହାଣ, ଆଘାତ କଲେ ତାହା ମଧ୍ୟ ଆଦୌ ଗ୍ରହଣୀୟ ନୁହେଁ । ଉଭୟ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ଦଣ୍ଡିତ କରାଯାଉ । ରାଜନୀତିରେ ହଂସା ଆଦୌ ଗ୍ରହଣୀୟ ନୁହେଁ । ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ।

ଅପରପକ୍ଷେ ବିଜେପି ପକ୍ଷରୁ ପୃଥ୍ୱୀରାଜ ପ୍ରତିକ୍ରିୟାରେ କହିଛନ୍ତି ଏପରି ଦୁର୍ଭାଗ୍ୟଜନକ ଘଟଣା ଓଡିଶା ଇତିହାସରେ ପ୍ରଥମ । ଚିଲିକା ପାଇଁ ଏହା କଳା ଇତିହାସ ହୋଇ ରହିବ । ବିଧାୟକଙ୍କ ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଭଳି ଲୋକଙ୍କ ସ୍ଥାନ ଜେଲରେ ରହିଛି ।

ସେପଟେ ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସମ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପ୍ରଶାନ୍ତ ଜଗଦ୍ଦେବ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷଣକାରୀ ଘଟଣା । ଘଟଣାର ତଦନ୍ତ କରୁଛି ପୋଲିସ । ଠିକ୍‌ ସମୟରେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ଆଚରଣ ପାଇଁ ପୂର୍ବରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

Related Posts