ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଲକ୍ଷ୍ମୀ ବସ୍ ସେବାରେ ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇ ସାରିଲାଣି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେପି ବିଧାୟକ ଅମର କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ତ୍ତମାନ ଗ୍ରାମାଞ୍ଚଳ ପରିବହନ ସେବା ନୀତି ଆୟୋଗ, ଭାରତ ସରକାର ଏବଂ ପିଏମ୍ ଇ-ବସ୍ ସେବା, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଅଛି ଓ ଏହା ଜିସିସି ମଡେଲମାଧ୍ୟମରେ ବସ୍ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଅଛି ।
ଏହି ବସ୍ ସେବା ସରକାରୀ ଘରୋଇ ସହଭାଗିତାରେ ଚଳାଚଳ କରୁଥିବାବେଳେ ଅପରେଟରମାନଙ୍କୁ ଇ-ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ଚୟନ ହୋଇଥିବା ଅପରେଟରମାନେ ହେଲେ କୁନାଲ ଟ୍ରାନ୍ସପୋର୍ଟ ପ୍ରାଇଭେଟ ଲିମିଟେଡ, ଚାରଟର୍ଡ ସ୍ପିଡ୍ ଲିମିଟେଡ ଓ ପ୍ରୋଗେସିଭ ଟ୍ରାନ୍ସିଟ ପ୍ରାଇଭେଟ୍ ଲିମିଟେଡ ।
କଣ୍ଡକ୍ଟର ଯୋଗାଣ ପାଇଁ ୩୦ଟି ଜିଲ୍ଲାରୁ ଗୋଟିଏ କରି ବ୍ଲକକୁ ଚିହ୍ନଟ କରାଯାଇଥିଲା ଯେଉଁ ମିଶନ ଶକ୍ତିମାନେ ସେମାନଙ୍କୁ ବ୍ଲକ ସ୍ତରୀୟ ମହାସଂଘରୁ କଣ୍ଟକ୍ଟର ପ୍ରଦାନ କରିଛନ୍ତି ଏବଂଅନ୍ୟ ସବୁ ବ୍ଲକରେ ଇ-ଟେଣ୍ଡରିଂ ମାଧ୍ୟରେ ପେରେଗ୍ରାଇନ୍ ଗାର୍ଡିଂ ପ୍ରାଇଭେଟ ଲିମିଟେଡକୁ କଣ୍ଡକ୍ଟର ଯୋଗାଇବାପାଇଁ ଚୟନ କରାଯାଇଥିଲା ।
ମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ଚଳାଚଳରୁ ବର୍ତ୍ତମାନ ସୁଦ୍ଧା ୪୪,୪୧,୯୧,୭୭୭ ଟଙ୍କା ଆୟ ହୋଇଥିବାବେଳେ ୫୨୪,୫୮,୪୭,୭୪୦ ଟଙ୍କା ବ୍ୟୟ ହୋଇଛି । ତେଣୁ ମୋଟାମୋଟି ଭାବେ ଏହି ବସ୍ ଚଳାଚଳ ଯୋଗୁଁ ୪୮୦, ୧୬,୫୬,୫୬୩ ଟଙ୍କା କ୍ଷତି ହୋଇଛି ।
ଓଡିଶା ସରକାରଙ୍କ ଆମ ବସ୍ଷ୍ଟାଣ୍ଡ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ୩୦୪.୦୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ବର୍ତ୍ତମାନ ସୁଦ୍ଧା ୫୪ଟି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୩୩ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା କରାଯାଇଛି ଏବଂ ଏଥିପାଇଁ ୨୧୦୬ କୋଟି ୪୯ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।