“କେଜ୍ରିୱାଲଙ୍କ ପ୍ରତିଶ୍ରୁତି ଚାଇନା ସାମଗ୍ରୀ ଭଳି, କିଣିଲେ ପରେ ନିଶ୍ଚୟ ଅନୁତାପ କରିବେ”: ଗୁଜରାଟ ବିଜେପି ମୁଖ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ ଆମ ଆଦମୀ ପାର୍ଟି ଏବଂ ଏହାର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ସେ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତ ଓ ରାଜ୍ୟ ନିର୍ବାଚନ ପାଇଁ ତାଙ୍କର ପ୍ରତିଶ୍ରୁତିକୁ କଟାକ୍ଷ କରି କହିଛନ୍ତି, ଆଜି କାଲି ଜଣେ ବ୍ୟକ୍ତି ବାରମ୍ବାର ଗୁଜୁରାଟ ଗସ୍ତ କରୁଛନ୍ତି । ନିର୍ବାଚନ ପୂର୍ବରୁ ନୂଆ ନୂଆ ପ୍ରତିଶ୍ରୁତି ସବୁ ଦେଉଛନ୍ତି । ତାଙ୍କର ଏହି ପ୍ରତିଶ୍ରୁତି ଗୁଡିକ ଚାଇନା ସାମଗ୍ରୀ ପରି, ଯାହାକୁ କିଣିଲେ ନିଶ୍ଚିତ ରୂପେ ପରେ ଅନୁତାପ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍ ଗୁଜୁରାଟରେ ଜୋରାଦାର କସରତ କରୁଛି । ରାଜ୍ୟରେ ନିଜର ଭୋଟ ପ୍ରତିଶତ ବଢାଇବା ସହ ବିଜେପିକୁ ଟକ୍କର ଦେବା ପାଇଁ ସବୁ ବଳ ଲଗାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ମାଗଣା ବିଜୁଳି ଠାରୁ ଆରମ୍ଭ କରି ମହିଳା ଏବଂ ବେରୋଜଗାରଙ୍କୁ ଭତ୍ତାର ଗ୍ୟାରେଣ୍ଟୀ ଦେଇଛନ୍ତି । ଏହାକୁ ଟାର୍ଗେଟ କରି ସୁରଟରେ ଏକ କାର୍ଯ୍ୟକ୍ରମ ସମୟରେ କେଜ୍ରିୱାଲଙ୍କ ନାଁ ନନେଇ ପାଟିଲ କହିଛନ୍ତି, ଗୁଜରାଟର ଯୁବକଙ୍କୁ ୧୦ ଲକ୍ଷ ସରକାରୀ ଚାକିରୀ ଦେବି ବୋଲି ସେ କହୁଛନ୍ତି । ବର୍ତ୍ତମାନ ସମୟରେ ମୋଟ ସରକାରୀ ପଦବୀ ୫.୫ ଲକ୍ଷ ଥିବା ବେଳେ ଏହା କିପରି ସମ୍ଭାବ ହୋଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଆଗାମୀ ପାଞ୍ଚ ବର୍ଷରେ ଏହି ସଂଖ୍ୟାକୁ ଦ୍ୱିଗୁଣ କରିବେ ବୋଲି କହୁଛନ୍ତି, କିନ୍ତୁ କିପରି କରିବେ ତାହା କହୁ ନାହାନ୍ତି ।

Related Posts