ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ | ଏହା ପୂର୍ବରୁ ଏବେ ସେଠାରେ ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିରୋଧୀ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି | ବିଜେପି ନିର୍ବାଚନ କମିଶନଙ୍କ ଉପରେ ଚାପି ପକାଇ ବହୁ ସଂଖ୍ୟକ ଭୋଟରଙ୍କ ନାଁ ଭୋଟର ଲିଷ୍ଟରୁ କାଟୁଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରି ଆସୁଛି | ଆଉ ଏବେ ଦୁଇ ଦଳ ମଧ୍ୟରେ ଏହି ଆରୋପ ପ୍ରତ୍ୟାରୋପ ଚିଠି ଦ୍ୱାରା ଆରମ୍ଭ ହୋଇଯାଇଛି | ଦୁଇ ଦିନ ତଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ବିଜେପି ନାଁରେ କିଛି ଅଭିଯୋଗ ଆଣିଥିବା ବେଳେ ସେଗୁଡ଼ିକୁ ଆରଏସଏସ କେମିତି ନଜରରେ ଦେଖୁଛି ବୋଲି ମୋହନ ଭାଗବତଙ୍କୁ ପ୍ରଶ୍ନ କରିଥିଲେ କେଜ୍ରିୱାଲ। ଅନ୍ୟପକ୍ଷରେ ଆଜି ଏହାକୁ କାଉଣ୍ଟର କରି ଦିଲ୍ଲୀ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି ଓ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ କେଜ୍ରିୱାଲଙ୍କୁ ପରାମର୍ଶ ଦେଇଛି ବିଜେପି।
ତେବେ ଗତ ଡିସେମ୍ବର ୩୦ ତାରିଖରେ କେଜ୍ରିୱାଲ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଥିଲେ, “ଗଣମାଧ୍ୟମରେ ଖବର ଆସୁଛି ଯେ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଭୋଟ୍ ମାଗିବ ଆରଏସଏସ। ଏହା କ’ଣ ଠିକ୍? ଏହା ପୂର୍ବରୁ ଲୋକେ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ଅତୀତରେ ବିଜେପି ଯେଉଁ ଭୁଲ୍ କାମ କରିଛି, ଆରଏସଏସ୍ କ’ଣ ସେଗୁଡ଼ିକୁ ସମର୍ଥନ କରୁଛି?
ବିଜେପି ନେତାମାନେ ଖୋଲାଖୋଲି ଭାବେ ଟଙ୍କା ଦେଇ ଭୋଟ୍ କିଣୁଛନ୍ତି। ଆରଏସଏସ କ’ଣ ଏହାକୁ ସମର୍ଥନ କରୁଛି? ବ୍ୟାପକ ସଂଖ୍ୟକ ଗରିବ, ଦଳିତ, ପୂର୍ବାଞ୍ଚଳ ଲୋକ ଓ ବସ୍ତିବାସିନ୍ଦା ଯେପରି ଭୋଟ୍ ନଦେଇ ପାରିବେ, ସେ ନେଇ ପ୍ରୟାସ କରୁଛି ବିଜେପି। ସେମାନେ ବହୁ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ ହେଁ ସେମାନଙ୍କ ଭୋଟ ଅଧିକାର ଛଡ଼ାଇ ନେବାକୁ ପ୍ରୟାସ କରାଯାଉଛି। ଆରଏସଏସକୁ କ’ଣ ଲାଗୁଛି, ଏଭଳି କରିବା ଭାରତୀୟ ଗଣତନ୍ତ୍ର ପାଇଁ ଠିକ୍? ଆପଣଙ୍କୁ କ’ଣ ଲାଗୁନି ଯେ ବିଜେପି ଏହିଭଳି ଭାବେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରି ଦେଉଛି।”
ସେପଟେ କେଜ୍ରିୱାଲଙ୍କ ଏହି ଚିଠିର ଜବାବରେ ଦିଲ୍ଲୀ ବିଜେପି ପକ୍ଷରୁ ତାଙ୍କ ନିକଟକୁ ଏକ ଚିଠି ପଠାଯାଇଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା କେଜ୍ରିୱାଲଙ୍କ ପାଖକୁ ପଠାଇଥିବା ଚିଠିରେ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ସଚଦେବ ଲେଖିଛନ୍ତି, ମୋର ବିଶ୍ୱାସ ଅଛି ଯେ ଆପଣ ଆଉ କେବେ ବି ଆପଣଙ୍କ ଛୁଆଙ୍କ ନାଁ ନେଇ ମିଛ ଶପଥ ନେବେ ନାହିଁ। ଆପଣ ମିଛ ପ୍ରତିଶ୍ରୁତି ଦେଇ ଦିଲ୍ଲୀର ମହିଳା, ବରିଷ୍ଠ ନାଗରିକ ଓ ଧାର୍ମିକ ବ୍ୟକ୍ତିଙ୍କ ଭାବନା ସହ ଖେଳିବେ ନାହିଁ। ଦିଲ୍ଲୀରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିଥିବାରୁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିବେ। ଯମୁନା ନଦୀକୁ ସଫା କରିବା ନାଁରେ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ଓ ଏଥିରେ ହୋଇଥିବା ଦୁର୍ନୀତି ପାଇଁ ଆପଣ ସର୍ବଜନରେ କ୍ଷମା ମାଗିବେ। ଆପଣ ରାଜନୀତିକ ସ୍ୱାର୍ଥ ପାଇଁ ବିରୋଧୀଙ୍କ ସହ ନମିଶିବା ଓ ଚାନ୍ଦା ନ ନେବା ପାଇଁ ସଂକଳ୍ପ ନେବେ।
ତେବେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ନିର୍ବାଚନ ହୋଇପାରେ। ନିର୍ବାଚନ ଘୋଷଣା ପୂର୍ବରୁ ଏବେ ଏହି ଚିଠିରେ କାଦୁଅ ଫିଙ୍ଗାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି |