ଆସନ୍ତାକାଲି ଇଡିରେ ହାଜର ହେବେନି, ୧୦ ଦିନ ପାଇଁ ଧ୍ୟାନ କେନ୍ଦ୍ରକୁ ଗଲେ କେଜ୍ରିୱାଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ତାଙ୍କୁ ଇଡି ପକ୍ଷରୁ ଗୁରୁବାର ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ବୁଧବାର କେଜ୍ରିୱାଲ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି। ସେ ୧୦ ଦିନ କାଳ ଧ୍ୟାନକେନ୍ଦ୍ର ବା ବିପାସନା କ୍ୟାମ୍ପରେ ରହିବେ। ଏହି ସମୟରେ ସେ କାହା ସହ ଯୋଗାଯୋଗ କରିବେ ନାହିଁ। ତେଣୁ ସେ ଇଡିର ସମନ ଅନୁସାରେ ଆସନ୍ତାକାଲି ଜେରା ପାଇଁ ହାଜର ହେବେନି ବୋଲି ସୁଚନା ମିଳିଛି।

ସୂଚନା ଅନୁସାରେ, କେଜ୍ରିୱାଲ ୧୦ ଦିନ କାଳ ପଞ୍ଜାବର ହୋଶିଆରପୁର ଅନ୍ଦଗଡ଼ ଗାଁରେ ରହିବେ। ସେ ଡିସେମ୍ବର ୩୦ ତାରିଖ ଯାଏ ସେଠାରେ ଥିବା ବିପାସନା କ୍ୟାମ୍ପରେ ସମୟ କାଟିବେ। ଏହି ସମୟରେ ସେ ରାଜନୀତିକ ଜୀବନରୁ ଦୂରେଇ ରହିବା ସହ କାହା ସହ ଯୋଗାଯୋଗ ମଧ୍ୟ କରିବେ ନାହିଁ। ତେବେ ସେଠାରୁ ଫେରିବା ପରେ ହୁଏତ ଇଡି ତାଙ୍କୁ ତୃତୀୟ ଥର ପାଇଁ ହାଜର ହେବାକୁ ସମନ କରିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ଇଡି ସମନକୁ ବେଖାତିର କରି ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ। ମଙ୍ଗଳବାର ପୁଣି ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଛି। ଏଥର ମଧ୍ୟ ସେ ସମନ ଅନୁସାରେ ଇଡି କାର୍ଯ୍ୟାଳୟରେ ହାଜର ହେବେନାହିଁ।

Related Posts