ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନାରେ ନଭେମ୍ବର ୩୦ ରେ ବିଧାନସଭା ଭୋଟ। ଆଉ ଏଥିପାଇଁ ରାଜ୍ୟର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି (ବିଆର୍ଏସ୍)ର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ରବିବାର ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ବିପିଏଲ୍ ସୀମା ତଳେ ଥିବା ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମିଳିବା ନେଇ ଘୋଷଣା କରାଯାଇଛି। ରୟତୁ ବନ୍ଧୁ ଯୋଜନାରେ କୃଷକମାନଙ୍କୁ ବର୍ଷକୁ ପ୍ରଦାନ କରାଯାଉଥିବା ୧୦ ହଜାର ଟଙ୍କାକୁ ଆସନ୍ତା ୫ ବର୍ଷ ମଧ୍ୟରେ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯିବ।ଏଥିସହିତ ଯୋଗ୍ୟ ବିପିଏଲ ପରିବାର ଓ ଅଧିସ୍ବୀକୃତ ସାମ୍ବାଦିକଙ୍କୁ ୪୦୦ ଟଙ୍କାରେ ଏଲ୍ପିଜି ଯୋଗାଇ ଦିଆଯିବ।
ରାଜ୍ୟରେ ରୟତୁ ବୀମା ଭଳି ବିପିଏଲ୍ ସୀମା ତଳେ ଥିବା ପ୍ରାୟ ୯୩ ଲକ୍ଷ ପରିବାରକୁ ଜୀବନ ବୀମା ସୁବିଧା ଯୋଗାଇ ଦିଆଯିବ। ସରକାର ଏ ବାବଦରେ ଏଲ୍ଆଇସିକୁ ୧୦୦ ପ୍ରତିଶତ ପ୍ରିମିୟମ ପ୍ରଦାନ କରିବେ। ସେହିଭଳି ସମସ୍ତ ରାସନ କାର୍ଡଧାରୀଙ୍କୁ ତେଲେଙ୍ଗାନା ଅନ୍ନପୂର୍ଣ୍ଣା ଯୋଜନାରେ ୨୦୨୪ ଏପ୍ରିଲ-ମେ’ରୁ ସରୁ ଚାଉଳ ଯୋଗାଇ ଦିଆଯିବ। ବରିଷ୍ଠ ନାଗରିକ ଏବଂ ମହିଳାଙ୍କୁ ଅସରା ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ୨୦୧୬ ଟଙ୍କାର ସାମାଜିକ ପେନସନ୍ ରାଶିକୁ ଆସନ୍ତା ୫ ବର୍ଷ ମଧ୍ୟରେ ୬୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଆସନ୍ତା ବର୍ଷ ଏହା ୩୦୧୬ ଟଙ୍କା ହେବ। ଦିବ୍ୟାଙ୍ଗମାନଙ୍କୁ ଚଳିତବର୍ଷ ଠାରୁ ମାସିକ ୪୦୧୬ ଟଙ୍କା ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାକୁ ପର୍ଯ୍ୟାୟକ୍ରମେ ୬୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରୟତୁ ବନ୍ଧୁ ଯୋଜନାରେ କୃଷକଙ୍କୁ ବାର୍ଷିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏହାକୁ ପର୍ଯ୍ୟାୟକ୍ରମେ ଆସନ୍ତା ୫ ବର୍ଷ ମଧ୍ୟରେ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ସେହିଭଳି ସୌଭାଗ୍ୟଲକ୍ଷ୍ମୀ ଯୋଜନାରେ ଯୋଗ୍ୟ ଗରିବ ମହିଳାଙ୍କୁ ମାସିକ ୩୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେସିଆର୍ ଆରୋଗ୍ୟ ରକ୍ଷା ଯୋଜନାରେ ଘରୋଇ ଡାକ୍ତରଖାନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ଏହି ସୀମା ଏବେ ୧୦ ଲକ୍ଷ ଟଙ୍କା ରହିଛି। ଏଥିସହିତ ଗରିବଙ୍କ ପାଇଁ ହାଇଦ୍ରାବାଦରେ ୧ ଲକ୍ଷ ସଂଖ୍ୟକ ଦୁଇ କକ୍ଷ ବିଶିଷ୍ଟ ଘର, ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ୧୧୯ଟି ଆବାସିକ ବିଦ୍ୟାଳୟ ସ୍ଥାପନ ସମେତ ଅନ୍ୟାନ୍ୟ ପ୍ରତିଶ୍ରୁତି କେସିଆର୍ ଦେଇଛନ୍ତି।