ପୁଣି କାୟା ବିସ୍ତାର କଲା କରୋନା; ଅନିର୍ଦ୍ଦିଷ୍ଟ କାଳ ପାଇଁ ଏସିଆନ ଗେମ୍ସ ୨୦୨୨ ସ୍ଥଗିତ

ବେଜିଂ: କିଛି ଦିନର ବ୍ୟବଧାନ ପରେ କରୋନା ପୁଣିଥରେ କରାଳ ରୂପ ଦେଖାଇବା ଆରମ୍ଭ କରିଛି |
ପୁଣି ଥରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ ହାର | ବଢୁଥିବା ସଂକ୍ରମଣ କୁ ନେଇ ଭୟ ଜାଗ୍ରତ ହୋଇଛି | ବିଶେଷ କରି କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ଉପର ମୁହାଁ ହୋଇଛି।

ତେବେ ବଢୁଥିବା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ‌ଆସନ୍ତା ସେପ୍ଟେମ୍ବର ମାସରେ ଚାଇନାର ହାଙ୍ଗଜୋହରେ ହେବାକୁ ଏସିଆନ ଗେମ୍ସ ୨୦୨୨କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ଅବଶ୍ୟ ଚାଇନା ପକ୍ଷରୁ ଏସିଆ ଗେମ୍ସ ସ୍ଥଗିତ ହେବାର କାରଣ କିଛି ବି କୁହାଯାଇନି। କିନ୍ତୁ ଏବେ ଚାଇନାରେ ସଂକ୍ରମଣ ବଢ଼ୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଏସିଆନ ଗେମ୍ସ ୱେବସାଇଟରେ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ “ଏସିଆର ଅଲିମ୍ପିକ ପରିଷଦ ଘୋଷଣା କରୁଛି ଯେ ସେପ୍ଟେମ୍ବର ୧୦ରୁ ୨୫ ତାରିଖ ଯାଏ ଚାଇନାର ହାଙ୍ଗଜୋହରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଏସିଆନ ଗେମ୍ସକୁ ଏବେ ସ୍ଥଗିତ କରାଯାଉଛି। ଏହି କ୍ରୀଡ଼ା ମହାକୁମ୍ଭ କେବେ ହେବେ, ତା’ର ତାରିଖ ପରବର୍ତ୍ତୀ ଅବସ୍ଥାରେ ଘୋଷଣା କରାଯିବ।”

ହାଙ୍ଗଜୋହ ଅଞ୍ଚଳଟି ଚାଇନାର ସବୁଠାରୁ ବଡ଼ ସହର ସାଙ୍ଘାଇ ନିକଟରେ ଅବସ୍ଥିତ। ଏଠାରେ ଏବେ ସଂକ୍ରମଣ ବଢ଼ୁଥିବାରୁ ସପ୍ତାହ ହେଲଣି ଲୋକମାନେ ଲକଡାଉନରେ ରହିଛନ୍ତି। ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶାଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଗତ ମାସରେ ଏସିଆନ ଗେମ୍ସର ଆୟୋଜକ କହିଥିଲେ ଯେ ୧୨ ମିଲୟନ ଜନସଂଖ୍ୟା ବିଶିଷ୍ଟ ହାଙ୍ଗଜୋହରେ କ୍ରୀଡ଼ା ମହାକୁମ୍ଭ ପାଇଁ ୫୬ଟି ପ୍ରତିଯୋଗିତା ଭେନ୍ୟୁ ତିଆରି କରାଯାଇଛି। ଏହି ସ୍ଥାନ ଗୁଡ଼ିକରେ ଉଭୟ ଏସିଆନ ଗେମ୍ସ ଓ ପାରା ଏସିଆନ ଗେମ୍ସ ଖେଳାଯିବ। ବେଜିଂରେ ଅନୁଷ୍ଠିତ ଶୀତକାଳୀନ ଅଲିମ୍ପିକ୍ସକୁ ଯେଉଁଭଳି କଟକଣା ଭିତରେ ଆୟୋଜନ କରାଯାଇଥିଲା। ଏସିଆନ ଗେମ୍ସକୁ ମଧ୍ୟ ଅନୁରୂପ ଢଙ୍ଗରେ ଆୟୋଜନ କରାଯିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଏବେ ସବୁ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି | ବଢୁଥିବା ସଂକ୍ରମଣ କୁ ଦୃଷ୍ଟିର ରଖି ଅନିଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି |

Related Posts