କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୟୁଜିସି ମାନ୍ୟତା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ୟୁଜିସି ଅଧିନିୟମ-୧୯୫୬, ଧାରା ୨ (ଏଫ୍) ଅନୁଯାୟୀ, କମିଶନ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହ ୟୁଜିସିର ବିଶ୍ବବିଦ୍ୟାଳୟ ତାଲିକାରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଅନ୍ତର୍ଭୃକ୍ତ କରାଯାଇଛି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,” ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଜନଜାତି ବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତି ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରାଇବ ବୋଲି ଆଶା କରୁଛି। “

ତେବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି) ଅନୁଯାୟୀ, ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ସାମିଲ ହେବା ନେଇ ୟୁଜିସି ଉପ ସଚିବ ନରେନ୍ଦ୍ର କୁମାର ଶର୍ମା ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏହା ବ୍ୟତୀତ ବିଶ୍ବବିଦ୍ୟାଳୟ ଉପରେ କେତେକ କଟକଣା ମଧ୍ୟ ଲାଗୁ କରାଯାଇଛି। ବିଶ୍ବବିଦ୍ୟାଳୟକୁ ଆଲଟ୍‌ ହୋଇଥିବା ପରିସୀମା ମଧ୍ୟରେ ଏହା କାର୍ଯ୍ୟକ୍ଷମ ‌ହେବ। ପରିସୀମା ବାହାରେ କୌଣସି ପ୍ରକାର ଅଫ୍‌ କ୍ୟାମ୍ପସ୍‌ ସେଣ୍ଟର/ଷ୍ଟଡି ସେଣ୍ଟର ଖୋଲିବାକୁ ଅନୁମତି ମିଳିବ ନାହିଁ। 

ତେବେ ଘରୋଇ ଶିକ୍ଷାନୁଷ୍ଠାନ ସହ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ପାଠ୍ୟକ୍ରମ ଚାଲିପାରିବ ନାହିଁ। ବିଶ୍ବବିଦ୍ୟାଳୟ ଦ୍ବାରା ମଧ୍ୟ ଫ୍ରାଞ୍ଚାଇଜ୍‌ ମାଧ୍ୟମରେ କୌଣସି ଷ୍ଟଡି ସେଣ୍ଟର ଖୋଲିପାରିବ ନାହିଁ। ଯଦି ଏହା ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଫ୍‌-କ୍ୟାମ୍ପସ/ଷ୍ଟଡି ସେଣ୍ଟର, ଫ୍ରାଞ୍ଚାଇଜ୍‌ରେ ରାଜ୍ୟ ବାହାରେ କୌଣସି ପ୍ରକାର ସେଣ୍ଟର ଆରମ୍ଭ ହୋଇଥିବ ତେଵେ ଯେ‌ତେଶୀଘ୍ର ସମ୍ଭବ ବନ୍ଦ କରିବା ଦିଗରେ ପଦକ୍ଷେପ ନେବେ। ୟୁଜିସି ନିୟମ ୨୦୧୬ ଅନୁଯାୟୀ ଏମ୍‌ଫିଲ୍‌ ଓ ପିଏଚ୍‌ଡି କାର୍ଯ୍ୟକ୍ରମ ଚାଲିବ। 

ସୂଚନାଯୋଗ୍ୟ, ଭବାନୀପାଟଣାସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ ଉନ୍ନୀତ କରାଯାଇ ୨୦୧୯ ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ କରାଯାଇଛି ।   ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କଲେଜଗୁଡ଼ିକୁ ଏହି ପ୍ରସ୍ତାବିତ ନବଗଠିତ ବିଶ୍ୱବିଦ୍ୟାଳୟ ଅଧୀନକୁ ଅଣାଯାଇଥିଲା। 

୨୦୧୯ ମାର୍ଚ୍ଚ ୬ତାରିଖରେ ଉଚ୍ଚଶିକ୍ଷା ନୀତି ଆଧାରରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସରକାର ପଦକ୍ଷେପ  ନେବା ପରେ ଏହା ବିଶ୍ୱବିଦ୍ୟାଳୟ ରୂପେ କାର୍ଯ୍ୟକ୍ଷମ ହୋଇଥିଲା।  ଏବେ ଏହାକୁ ୟୁଜିସି ମାନ୍ୟତା ମିଳିଛି। 

Related Posts