
ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଦେଶର ସବୁଠୁ ବଡ଼ ମଡେଲ ଜେଲ୍ ହେବ ଜାମୁଝରି ଜେଲ୍ । ରାଜଧାନୀ ଉପକଣ୍ଠ ଜାମୁଝରିକୁ ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍। ୫୦ ଏକର ପରିମିତ ଅଞ୍ଚଳରେ ଭୁବନେଶ୍ୱର ମଡେଲ ଜେଲ୍ ହେବ। ଏହି ସ୍ୱତନ୍ତ୍ର ଜେଲରେ ୨୫୦୦ କଏଦୀ ରହିପାରିବେ । ସହର ଭିତରୁ ଜେଲ ଉଠାଇବାକୁ ଜେଲ ବିଭାଗ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ତେବେ ଏହା ପ୍ରଥମ ଗ୍ରୀନ୍ ଜେଲ ହେବା ସହ ଜିରୋ କାର୍ବନ ଏମିଶନ ଓ ସ୍ମାର୍ଟ ଜେଲ ହେବ ଏହି ନୂତନ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ହେବ ମଡେଲ ଜେଲ୍।
ବ୍ୟବହାର ହେବ ବାୟୋମେଟ୍ରିକ୍ ସିଷ୍ଟମ। ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ୍ ନିର୍ମାଣ କାମ। ଖୁବଶୀଘ୍ର କାମ ଆରମ୍ଭ କରିବ ପୋଲିସ ହାଉସିଂ କର୍ପୋରେସନ। ଏଥିପାଇଁ ତିହାର ଜେଲ ପରିଦର୍ଶନ କରିଛନ୍ତି ଡିଜି ପ୍ରିଜନ ମନୋଜ ଛାବ୍ରା। ପ୍ଲାନ ଦେଉଥିବା ଆର୍କିଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି। ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଓ ୱାର୍ଡର ବ୍ୟବସ୍ଥା ହେବ। ଓପନ ଜିମ୍, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ୍ ପରିସରରେ ରହିବ। ଜେଲ୍ ଭିତରେ ୧୨୦ ବେଡ ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର ରହିବ। ଜେଲ୍ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ।
ସେହିପରି ଫୁଡ୍ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ। ମିଲେଟ୍ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ। ଜେଲ୍ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଅଭିନବ ପ୍ରୟାସ କରାଯିବ। 5T ଅଧୀନରେ ଜେଲ୍ ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଜେଲ୍କୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ କରାଯାଉଛି।