ଝାଡଖଣ୍ଡରେ ଗୁଣିଗାରେଡି ସନ୍ଦେହରେ ଦୁଇ ମହିଳାଙ୍କୁ ହତ୍ୟା ଘଟଣା: ୧୯ ଜଣ ମହିଳାଙ୍କୁ ଆଜୀବନ କାରାଦଣ୍ଡ

ରାଞ୍ଚି: ୯ ବର୍ଷ ତଳେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ । ଝାଡଖଣ୍ଡ ଗୁମଲା ଜିଲ୍ଲାରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହରେ ଏଠାରେ ଦୁଇ ଜଣ ମହିଳାଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଦୁଇ ମହିଳା ଗୁଣିଗାରେଡି କରି ଜଣେ ଯୁବକଙ୍କୁ ମାରିଥିବାର ଗାଁ ଲୋକେ ବିଶ୍ବାସ କରି କିଛି ମହିଳାଙ୍କ ଦ୍ବାରା ସେମାନଙ୍କୁ ହତ୍ୟା କରିଥିଲେ ।

ତେବେ ଦୀର୍ଘ ବର୍ଷ ପରେ ଏହି ଡବଲ ମର୍ଡର ମାମଲାର ଦୋଷୀଙ୍କୁ ଦଣ୍ଡ ମିଳିଛି । ଦୁଇ ମହିଳାଙ୍କ ହତ୍ୟା ମାମଲାରେ ଏଡିଜେ କୋର୍ଟ ୧୯ ଜଣ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ଜରିମାନା ରାଶି ଅନାଦେୟ ହେଲେ ଦୋଷୀଙ୍କୁ ଅଧିକ ୨ ବର୍ଷ ସଜ୍ଜା ଭୋଗିବାକୁ ପଡିବ ।

ସୂଚନାଯୋଗ୍ୟ, ୨୦୧୩ ମସିହା ଜୁନ ୧୧ରେ ଗୁମଲା ଜିଲ୍ଲା ଅନ୍ତର୍ଗତ କରଞ୍ଜ ଥାନାର କରୌନ୍ଦାଜୋର ଟୁକୁଟୋଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗୁଣିଗାରେଡି ସନ୍ଦେହରେ ଗାଁର ବୃଜେନିୟା ଇନ୍ଦବାର ଏବଂ ଇଗ୍ରୋସିୟା ଇନ୍ଦବାର ନାମକ ଦୁଇ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପୂର୍ବରୁ ପ୍ରଥମେ ଗାଁ ଲୋକେ ଏକ ବୈଠକ ଡାକିଥିଲେ ଏବଂ ଏଥିରେ ଉଭୟଙ୍କୁ ଦୋଷୀ ମାନିଥିଲେ । ଏହାପରେ ଗାଁର ମହିଳାଙ୍କୁ ଡକାଇ ଠେଙ୍ଗା ଲାଠିରେ ସେମାନଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପରଦିନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଗୁରୁବାର ଏଡିଜେ କୋର୍ଟ ବିଚାରପତି ଦୁର୍ଗେଶ ଚନ୍ଦ୍ର ଅବସ୍ଥି ଏହି ଡବଲ ମର୍ଡର ମାମଲାର ଶୁଣାଣି କରି ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ।

Related Posts