ଜୟନାରାୟଣଙ୍କ ତଡ଼ାଖିଆ ବୟାନ; ପ୍ରସନ୍ନ-ସରୋଜ ମୁହାଁମୁହିଁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ନିଜକୁ ତଡ଼ାଖିଆ ଓ ସାଇଡ୍ ଲାଇନ୍ ନେତା କହିବା ସହ ତାଙ୍କ ପଛରେ ଜଣେ ଲୋକକୁ ପାର୍ଟି ସବୁବେଳେ ଲଗାଉଥିବା ଖୋଲା ମଞ୍ଚରେ କହିଥିଲେ । ସେପଟେ କିନ୍ତୁ ଜୟନାରାୟଣଙ୍କ କଥାର ଅର୍ଥ ତାହା ନଥିବା କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେପଟେ ଜୟନାରାୟଣଙ୍କ ବୟାନ ପରେ ବିଜେଡିକୁ କାଉଣ୍ଟର ଆଟାକ୍ ଲାଗି ସୁଯୋଗ ମିଳିଯାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପିକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ଗୋଷ୍ଠୀ କନ୍ଦଳ ଆମ ଦଳରେ ଥିବା କହୁଥିଲେ କିନ୍ତୁ ପ୍ରକୃତରେ ଗୋଷ୍ଠୀ କନ୍ଦଳ କେଉଁଠି ତାହା ଜୟନାରାୟଣଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ତାଙ୍କ ଦଳରେ ନିଆଁ ଲାଗି ସାରିଲାଣି । ବରିଷ୍ଠ ବିଧାୟକଙ୍କ ବୟାନ ତାର ପ୍ରମାଣ ।

ସେପଟେ ପ୍ରସନ୍ନଙ୍କୁ ଜବାବ ଦେଇ ବିଜେପି କହିଛି, ଜୟନାରାୟଣଙ୍କ କଥାକୁ ଭୁଲ୍ ଉପସ୍ଥାପନା କରୁଛି ବିଜେଡି । ପ୍ରସନ୍ନ ବାବୁଙ୍କ ଦେହ ବିଜେଡିରେ ମନ କିନ୍ତୁ ବିଜେପିରେ | ସେ ମଧ୍ୟ ବିଜେପିକୁ ଆସିପାରନ୍ତି | ନିଆଁ ଆମ ଦଳରେ ନୁହେଁ ବିଜେଡିରେ ଲାଗିଛି । ସେ ନିଆଁ ଆଗକୁ ଏଭଳି ଭୟଙ୍କର ରୂପ ନେବ ଯେ, ତାକୁ କେଉଁ ଫାୟାର ଷ୍ଟେସନ ଗାଡି ବି ଲିଭାଇ ପାରିବନି କହି କାଉଣ୍ଟର କରିଛନ୍ତି ସରୋଜ |

ତେବେ ବିରୋଧୀ ଦଳ ନେତା ଥିବାବେଳେ, ନବୀନଙ୍କୁ ବାରମ୍ବାର ଟାର୍ଗେଟ୍ କରି ବିଜେଡିକୁ ସତ୍ତାରୁ ଖସାଇବାରେ ଅନ୍ୟତମ ଭୂମିକା ନେଇଥିଲେ ଜୟନାରାୟଣ । କିନ୍ତୁ ନିର୍ବାଚନ ପରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ସେ ଯାଇନଥିଲେ । ଏଥିରୁ ସ୍ପଷ୍ଟ ଯେ ଜୟନାରାୟଣ କେତେ ଅସନ୍ତୁଷ୍ଟ । ତେବେ ଜୟନାରାୟଣଙ୍କ ଅସନ୍ତୋଷକୁ ଦଳ କିଭଳି ମ୍ୟାନେଜ କରୁଛି ଏବେ ତାହାରି ଉପରେ ନଜର ।

Related Posts