ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ନବ ଦାସ ହତ୍ୟା ଷଡଯନ୍ତ୍ରରେ ପାଣ୍ଡିଆନ-ବବିଙ୍କ ସମ୍ପୃକ୍ତି ନେଇ ଉଠାଇଲେ ପ୍ରଶ୍ନ, ଉଭୟଙ୍କ କଲ ରେକର୍ଡ ଯାଞ୍ଚ ଦାବି

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ଓଡିଶା ରାଜନୀତିରେ ଲାଗିଲା ନିଆଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ପରେ ବିଜୁ ଜନତା ଦଳରେ ଭୂକମ୍ପ। ନବ ଦାସ ହତ୍ୟାକାଣ୍ଡ ପଛରେ 5T ସଚିବ ପାଣ୍ଡିଆନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ଗଣାମାଧ୍ୟମକୁ ବିବୃତ୍ତି ଦେଇ ଜୟନାରାୟଣ ଦାବି କରିଛନ୍ତି ଯେ, 5T ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ । ହତ୍ୟାର ଚାରିଦିନ ପୂର୍ବରୁ ଉଭୟଙ୍କ କଲ ରେକର୍ଡ ଯାଞ୍ଚ କଲେ ସବୁ ସତ୍ୟ ସାମ୍ନାକୁ ଆସିଯିବ ବୋଲି କହିଛନ୍ତି ଜୟନାରାୟଣ । ନବ ଦାସ-ବବି ଦାସ-ପାଣ୍ଡିଆନଙ୍କ ମଧ୍ୟରେ ହତ୍ୟାର ଚାରିଦିନ ପୂର୍ବରୁ କ’ଣ କଥାବାର୍ତା ହୋଇଥିଲା ତାହା ମଧ୍ୟ ଖୁଲାସା ହେବା ଦରକାର। ଉଭୟଙ୍କ କଲ ରେକର୍ଡ କ୍ରାଇମବ୍ରାଞ୍ଚ କେବେ ଯାଞ୍ଚ କରି ପାରିବ ନାହିଁ ତେଣୁ ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ ବୋଲି ଜୟନାରାୟଣ କହିଛନ୍ତି।

ନବ ଦାସଙ୍କ ହତ୍ୟା ପରେ ପ୍ରଥମଥର ପାଇଁ 5T ସଚିବ ପାଣ୍ଡିଆନ ଓ ବବି ଦାସଙ୍କ ସମ୍ପୃକ୍ତି ସନ୍ଦେହ କରି ସିଧାସଳଖ ଗଣମାଧ୍ୟମରେ ଏଭଳି ବୟାନ ଆସିଛି। ଜୟନାରାୟଣ ରାଜ୍ୟର ବିରୋଧୀଦଳ ନେତା ସେ ଦୃଷ୍ଟିରୁ ତାଙ୍କର ଏଭଳି ମନ୍ତବ୍ୟ ବିଜେଡି ସରକାର ପ୍ରତି ମାରାତ୍ମକ ବୋଲି ଅନେକ ମତ ଦେଉଛନ୍ତି । ଜୟନାରାୟଣଙ୍କ ବୟାନ ପରେ ବିଜେଡି ମହଲରେ ଗୁରୁତ୍ୱପୂର୍ଣ ବୈଠକ ଡ଼କାଯାଇଥିବା ସୂଚନା ମିଳିଛି । କିଭଳି ଏହି ମନ୍ତବ୍ୟ ପରେ ଜୟନାରାୟଣଙ୍କୁ କାଉଣ୍ଟର କରାଯିବ ଏବେ ସେନେଇ ରାଜ୍ୟ ପ୍ରଶାସନ ଓ ବିଜେଡି ମହଲରେ ବିଚାର ବିମର୍ଶ ଚାଲିଛି ।

Related Posts