ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅର୍ଚ୍ଚନାଙ୍କ ପରେ ଏବେ ସ୍ୱାମୀ ଜଗବନ୍ଧୁଙ୍କୁ ଝଟ୍କା । ଜାମିନ୍ ଆବେଦନ ଖାରଜ କଲେ ଭୁବନେଶ୍ୱର ଏଡିଜେ-୨ କୋର୍ଟ । ଗତକାଲି ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ଏହାପରେ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ଅକ୍ଷୟ ପରିଜା କରିଥିବା ବ୍ଲାକମେଲିଂ ମାମଲାରେ ତାଙ୍କ ଜାମିନ ଗତକାଲି ଖାରଜ ହୋଇଥିଲା ।
ଅନ୍ୟପଟେ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଆଜି ଇଡିରେ ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍ ବ୍ୟବସାୟୀ ଶିବ ପ୍ରସାଦ ଦାସ । ତାଙ୍କ ସହ ଅର୍ଚ୍ଚନାଙ୍କ ଟଙ୍କା କାରବାର ନେଇ ସୂଚନା ପାଇଥିଲା ଇଡି । ଏହାପରେ ଶିବପ୍ରସାଦ ଦାସଙ୍କୁ ସମନ ଜାରି କରିଥିଲା ଇଡି । ସେ ଅର୍ଚ୍ଚନାଙ୍କୁ କେମିତି ଜାଣିଲେ ? କେବେଠାରୁ ସେ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଅଛନ୍ତି ? କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିଲେ ? ହନିଟ୍ରାପ୍ ଓ ବ୍ଲାକମେଲିଂ ବାବଦରେ କଣ ଜାଣିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ହୋଟେଲ୍ ବ୍ୟବସାୟୀଙ୍କ ପାଖରୁ ଜାଣିବାକୁ ଚାହିଁବ ଇଡି ।
ତେବେ ଏହି ମାମଲାରେ ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛି, ସେତେ ସେତେ ଅଧିକ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସୁଛି। ଏବେ ସୁଦ୍ଧା ଏହି ମାମଲାରେ ୫ଜଣ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ।