ଏଣିକି ଶନିବାର ବି ମିଳିବ ଜଗା ଦର୍ଶନ : ଦୁଇ ଘଣ୍ଟା ବଢିଲା ଦର୍ଶନ ଅବଧି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଏଣିକି ଶନିବାର ବି ଖୋଲା ରହିବ ଶ୍ରୀମନ୍ଦିର । ଏହାବାଦ ଦୈନିକ ଦର୍ଶନ ଅବଧିକୁ ୨ ଘଣ୍ଟା ବୃଦ୍ଧି କରାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆଜି  ନୂଆ ମାର୍ଗଦର୍ଶୀକା ଜାରି କରାଯାଇଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି ।  ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହି ଅବଧିକୁ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । 

ନୂତନ ଗାଇଡଲାଇନ ଅନୁଯାୟୀ ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ  ଓ ଶ୍ରଦ୍ଧାଳୁ। ତେବେ କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ । ସେହିପରି ପୂର୍ବ ନିଷ୍ପତ୍ତି ଅନୁସାରେ ୧୦ ତାରିଖ ଗଣେଶ ପୂଜା ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଗଣେଶ ପୂଜା ଓ ୧୭ ତାରିଖ ବିଶ୍ୱକର୍ମା ପୂଜା ଦିନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । 

ଅକ୍ଟୋବର ମାସରେ ମଧ୍ୟ ୩ ଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।ଏହା ସହ ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ପୂର୍ବରୁ ସଂକ୍ରମଣ ବଢ଼ିବା ଆଶଙ୍କାରେ ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଥିଲା। 

ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ସୂଚନାଯୋଗ୍ୟ ଯେ ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ଏସଓପି ସମୀକ୍ଷା ବୈଠକ ଆୟୋଜିତ ହୋଇଛି । ଭର୍ଚୁଆଲ ମାଧ୍ୟମରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଏସଓପି ଉପରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ଜିଲ୍ଲାପାଳ, ଏସପି, ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

Related Posts