ମୋଦିଙ୍କ ପରେ ବିଜେପି ତିଷ୍ଠିବା ମୁସ୍କିଲ; ଦେଶରେ କଂଗ୍ରେସ ସର୍ବଦା ରହିଛି ଏବଂ ରହିବ: ବୀରପ୍ପା ମୋଇଲି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସର ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି । ଏପରିକି ବର୍ତ୍ତମାନ ଦଳ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଗାନ୍ଧୀ ପରିବାରର ସପକ୍ଷରେ ଥିବା ନେତାମାନେ ଥିବାବେଳେ ଅନ୍ୟପଟେ ନେତୃତ୍ୱ ପରିବର୍ତ୍ତନ ଦାବି କରୁଥିବା ନେତାମାନେ ଅଛନ୍ତି । ଏହା ମଧ୍ୟରେ ଜି-୨୩ ସକ୍ରିୟ ହୋଇଯାଇଥିବାର ଦେଖିବାକୁ ମିଳିଛି । ଗୁଲାମ ନବୀ ଆଜାଦଙ୍କ ଘରେ ବାରମ୍ବାର ବୈଠକ ହେଉଥିବାର କଥା ସାମ୍ନାକୁ ଆସିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ବରିଷ୍ଠ ନେତା ବୀରପ୍ପା ମୋଇଲି ପରାଜୟ ପରେ ଦଳରେ ଉପୁଜିଥିବା ଅପ୍ରୀତିକର ପରିସ୍ଥିତି ଉପରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେପି ଏବଂ ଅନ୍ୟ ଦଳ ଆସିବେ ଯିବେ। କେବଳ କଂଗ୍ରେସ ହେଉଛି ଏକ ମାତ୍ର ପାର୍ଟି ଯିଏ ସର୍ବଦା ଦେଶରେ ରହିଛି ଏବଂ ରହିଥିବ। ଏଥିସହ ପାର୍ଟିର ନେତାଙ୍କୁ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଉପଦେଶ ଦେଇଛନ୍ତି ମୋଇଲି। ବୀରପ୍ପା ମୋଇଲିଙ୍କ ଏହି ବୟାନ ଗୁଲାମ ନବି ଆଜାଦଙ୍କ ଘରେ ଜି-୨୩ ନେତାଙ୍କ ବୈଠକ ପରେ ଆସିଛି।

ନିର୍ବାଚନରେ ଜିତିବାକୁ ହେଲେ କଂଗ୍ରେସ ନେତାଙ୍କୁ ପ୍ରତିଟି କ୍ଷେତ୍ରରେ ନିଜର ଆଭିମୁଖ୍ୟ ବଦଳାଇବାକୁ ପଡିବ। କାରଣ କଂଗ୍ରେସ ସର୍ବଦା ଦେଶରେ ରହୁଥିବା ଏକ ପାର୍ଟି। ମୋଇଲି ନିଜର ବୟାନରେ ନେହେରୁଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ଜବାହରଲାଲ ନେହେରୁ କହିଥିଲେ, ଯଦି କଂଗ୍ରେସ ଗରିବ ଏବଂ ପଛୁଆ ବର୍ଗଙ୍କ ପାଇଁ କାମ କରିବା ବନ୍ଦ କରି ଦେବ ତେବେ ଦଳ ନିଶେଷ ହୋଇଯିବ। ଆମକୁ ଏହି ଲୋକଙ୍କ ପାଇଁ କାମ କରିବା ଉଚିତ୍ ଏବଂ କେବେ ଆଶା ଛାଡିବା ଉଚିତ୍ ନୁହେଁ। କଂଗ୍ରେସ ନେତାଙ୍କୁ ଏହି କଥାକୁ ନେଇ ହତୋତ୍ସାହିତ ହେବା ଉଚିତ୍ ନୁହେଁ ଯେ, ବର୍ତ୍ତମାନ ଆମ ପାଖରେ କ୍ଷମତା ନାହିଁ। ଜି-୨୩ ହିଁ କଂଗ୍ରେସକୁ ଦୁର୍ବଳ କରୁଛନ୍ତି। ସମସ୍ତେ ମନେ ରଖିବା ଉଚିତ୍ ଯେ, ବିଜେପି ସବୁ ଦିନ ରହୁଥିବା ପାର୍ଟି ନୁହେଁ। ମୋଦୀଙ୍କ ପରେ ବିଜେପି ଧରାଶାୟୀ ହେବ ବୋଲି କହିଛନ୍ତି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts