“ସ୍ୱାଧୀନତାର ୭୫ ବର୍ଷ ପରେ ବ୍ରିଟିଶଙ୍କ ଦ୍ବାରା ସ୍ୱାଧୀନତା ଆନ୍ଦୋଳନକୁ ଦମନ ପାଇଁ ବ୍ୟବହାର ହୋଇଥିବା ଦେଶଦ୍ରୋହ ଆଇନର ଆବଶ୍ୟକତା ଅଛି କି ? ” : CJI ରାମନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା 124A ଅର୍ଥାତ୍ ରାଜଦ୍ରୋହ  ଆଇନର ବ୍ୟାପକ ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଦିନ ଉଦବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନା କହିଛନ୍ତି, 1870 ମସିହା ଔପନିବେଶିକ ଯୁଗରେ (ଆଇପିସିର ଧାରା 124A) ବିରୋଧକୁ ଦମନ କରିବା ପାଇଁ ଏହି ଆଇନର ପ୍ରାବଧାନ କରାଯାଇଥିଲା। କିନ୍ତୁ ଦେଶ ସ୍ବାଧୀନତାର 75 ବର୍ଷ ପରେ କଣ ଏହି ଆଇନର ଆବଶ୍ୟକତା ରହିଛି କି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରମନା। ଆଇପିସିର ଧାରା 124A କୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ  ନୋଟିସ୍ ଜାରି କରି CJI କହିଛନ୍ତି , “ଏହା ଏକ ଔପନିବେଶିକ ଆଇନ ଅଟେ। ଏହା ଆଇନ ସ୍ୱାଧୀନତା ସଂଗ୍ରାମକୁ ଦମନ କରିବା ପାଇଁ ପ୍ରୟୋଗ କରାଯାଇଥିଲା। ମହାତ୍ମା ଗାନ୍ଧୀ, ତିଲକ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶମାନେ ଏହି ଆଇନର ବ୍ୟବହାର କରିଥିଲେ। ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ କଣ ଏହି ଆଇନର ଆବଶ୍ୟକତା ରହିଛି କି ?” 

      ସେ ଦର୍ଶାଇଛନ୍ତି ଯେ ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଏପରି ଆଇନ ଜାରି ରହିବା ଦୁର୍ଭାଗ୍ୟଜନକ ଅଟେ। ଜଷ୍ଟିସ୍ ରମନା କହିଛନ୍ତି ଯେ ,”ସରକାର ଅନେକ ଆଇନ ହଟାଉଛନ୍ତି, କିନ୍ତୁ ମୁଁ ଜାଣେ ନାହିଁ କାହିଁକି ସେମାନେ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯଦି ଆମେ ଏହି ଆଇନର ଇତିହାସକୁ ଦେଖିବା, ତେବେ ଏହି ଆଇନକୁ ଜଣେ ବଢେଇଙ୍କ ସହ ତୁଳନା କରାଯାଇପାରେ, ଯାହାର ଏକ ଧାରୁଆ ଅସ୍ତ୍ର ଅଛି ଯାହା ଦ୍ଵାରା ସେ କୌଣସି ବସ୍ତୁ ତିଆରି କରିଥାଏ , ସେ ଏହାକୁ ଗୋଟିଏ ଗଛ ବଦଳରେ ସମଗ୍ର ଜଙ୍ଗଲ କାଟିବା ପାଇଁ ବ୍ୟବହାର କରେ। ତାହା ହେଉଛି ବ୍ୟବସ୍ଥାର ପ୍ରଭାବ। “CJI ସ୍ପଷ୍ଟ କରିଛନ୍ତି ଯେ ଏହି ବ୍ୟବସ୍ଥାର ଅପବ୍ୟବହାର ପାଇଁ ସେ କୌଣସି ରାଜ୍ୟ କିମ୍ବା ସରକାରଙ୍କୁ ଦାୟୀ କରୁନାହାଁନ୍ତି, “ଦୁର୍ଭାଗ୍ୟବଶତଃ, କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ବିଶେଷକରି କର୍ତ୍ତୃପକ୍ଷ ଏହାର ଅପବ୍ୟବହାର କରୁଛନ୍ତି।” ନିକଟରେ ଆଇଟି ଆକ୍ଟ 66Aର ହଟାଯିବାର ଉଦାହରଣ ଦେଇ ଜଷ୍ଟିସ ରମନା କହିଛନ୍ତି , ଏହି ଆଇନକୁ ରଦ୍ଦ କରାଯିବା ପରେ ମଧ୍ୟ ଏହାର ଦୂରୁପଯୋଗ ହୋଇଛି। ଏହି ଆଇନର ଅପବ୍ୟବହାର କରାଯାଇଛି, କିନ୍ତୁ ଉତ୍ତରଦାୟିତ୍ୱ କାହାର ନାହିଁ !”

ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ ଧାରା 124A ଅଧୀନରେ ଥିବା କ୍ଷମତା ଏତେ ବିସ୍ତୃତ ଯେ ଜଣେ ପୋଲିସ ଅଫିସର ଯିଏକି ତାସ୍ ଖେଳିବା, ଜୁଆ ଖେଳୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଫସାଇବା ପାଇଁ ସେକ୍ସନ୍ 124A ର ଦୂରୁପଯୋଗ କରିପାରିବେ । CJI କହିଛନ୍ତି,” ଆଇନର ଅପବ୍ୟବହାର ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱର ଅଭାବ ହିଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ।

 CJI କହିଛନ୍ତି ଯେ ପରିସ୍ଥିତି ଏତେ ଭୟଙ୍କର ଯେ ଯଦି କୌଣସି ରାଜ୍ୟ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଦଳ ତାଙ୍କ ବିରୋଧରେ କୌଣସି ବି ଆଲୋଚନା ଶୁଣିବାକୁ ଚାହୁଁ ନଥିବେ ତେବେ, ତେବେ ସେମାନେ ଏହି ଆଇନର ବ୍ୟବହାର କରି ବିରୋଧୀଙ୍କୁ ଦମନ କରିବେ ।

 ଆର୍ମି ଭେଟେରାନ ମେଜର-ଜେନେରାଲ ଏସ.ଜି ୱୋମାଟକେରେ (ରେଟ) ଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରି କହିଛନ୍ତି ଯେ ଆଇପିସିର ଧାରା 124A ଅନୁଯାୟୀ ଦେଶଦ୍ରୋହ ଅପରାଧର ସାମ୍ବିଧାନିକତା ଅସ୍ପଷ୍ଟ ଏବଂ “ବାକ୍ ସ୍ୱାଧୀନତା ପ୍ରତି କ୍ଷତିକାରକ” ବୋଲି ଚ୍ୟାଲେଞ୍ଜ କରାଯାଇଥିଲା। 

 ଆଡଭୋକେଟ ପ୍ରସନ୍ନ ଏସଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ଆବେଦନରେ ଦର୍ଶାଯାଇଛି ଯେ ଆଇପିସିର ଧାରା 124A ସମ୍ବିଧାନର ଧାରା 19 (1) (କ) ର ବିପରୀତ ଅଟେ, ଧାରା 14 ଏବଂ 21 ସହିତ ପଢାଯାଇଥିଲା ଏବଂ 1962 ମସିହାରେ କେଦାର ନାଥ ସିଂହ ବନାମ ବିହାର ସରକାରରେ ଏହି ନିୟମକୁ ଆଂଶିକ ପଢି ସମର୍ଥନ କରାଯାଇଥିଲା। ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ଆବେଦନକାରୀ ତାଙ୍କର ସମସ୍ତ ଜୀବନ ଉତ୍ସର୍ଗ କରିଛନ୍ତି। ଏହା ଏକ ପ୍ରେରିତ ମକଦ୍ଦମା ବୋଲି ଆମେ କହି ପାରିବୁ ନାହିଁ। କିନ୍ତୁ ଆଟର୍ଣ୍ଣି ଜେନେରାଲ କରିଛନ୍ତି ଯେ ଏହି ଆଇନକୁ ରଦ୍ଦ କରାଯିବା ଉଚିତ ନୁହେଁ ଏହି ଆଇନର ବ୍ୟବହାର କରିବାର ମାନଦଣ୍ଡ ଦିଆଯାଇପାରେ।

Related Posts