(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଚାଲିଥିବା ଜେଇଇ (ମେନ୍ସ) -2021 ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଏବେ ଆକ୍ସନ ମୁଡ୍ରେ ସିବିଆଇ। ସିବିଆଇ ପକ୍ଷରୁ ଏକାଧିକ ଟିମ୍ ଦିଲ୍ଲୀ-ଏନସିଆର ସମେତ , ଇନ୍ଦୋର, ପୁଣେ, ବେଙ୍ଗାଲୁରୁ ଓ ଜାମସେଦପୁର ଭଳି ବିଭିନ୍ନ ରାଜ୍ୟର ୧୯ଟି ସ୍ଥାନରେ ରେଡ୍ କରିଛି। ସିବିଆଇ ଏହି ମାମଲାରେ ଦୁଇଜଣ ନିର୍ଦ୍ଦେଶକ ଏବଂ ଏକ ଘରୋଇ କମ୍ପାନୀର ଚାରିଜଣ କର୍ମଚାରୀଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ତିନିଜଣଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା।
Affinity Education Private Limited ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ କ୍ରିଷ୍ଣା, ବିଶ୍ୱମ୍ବର ମଣି ତ୍ରିପାଠୀ, ରିତିକ ସିଂ, ଅଞ୍ଜୁମ ଦାୱଦାନୀ, ଅନିମେଶ କୁମାର ସିଂ ଏବଂ ଅଜିଙ୍କ୍ୟ ନରହରି ପାଟିଲଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି।
ଅଭିଯୋଗ ହୋଇଛି ଯେ ଉକ୍ତ କମ୍ପାନୀର ଅଭିଯୁକ୍ତମାନେ ଅନଲାଇନ ଜେଇଇ(ମେନ୍ସ) ପରୀକ୍ଷାରେ ହେରଫେର କରିଥିଲେ ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଏନଆଇଟି ଗୁଡ଼ିକରେ ଆଡମିଶନ କରିବାରେ ସହାୟତା କରିଥିଲେ । ହରିଆଣାର ସୋନେପତରେ ଥିବା ଗୋଟିଏ ପରୀକ୍ଷା କେନ୍ଦ୍ରରୁ ଏମାନେ ରିମୋଟ ଦ୍ୱାରା ପ୍ରଶ୍ନଗୁଡ଼ିକ ସମାଧାନ କରି ପରୀକ୍ଷାର୍ଥୀଙ୍କୁ ସବୁ ପ୍ରକାରର ସହାୟତା କରିଥିବା ଅଭିଯୋଗ ହୋଇଛି ।
ଏତଦ୍ ବ୍ୟତୀତ ସିକ୍ୟୁରିଟି ବାବଦକୁ ଅଭିଯୁକ୍ତମାନେ ଆଶାୟୀଙ୍କ ଦଶମ, ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍, ୟୁଜର ଆଇଡି, ପାସୱାର୍ଡ ଓ କିଛି ଆଗକୁ ତାରିଖ ଥିବା ଚେକ୍ଗୁଡ଼ିକୁ ନିଜ ପାଖରେ ରଖୁଥିଲେ। ପିଲାମାନଙ୍କ ନାଁ ଲେଖା ହୋଇଯିବା ପରେ ସେମାନେ ଏହା ବଦଳରେ ଜଣଙ୍କ ପିଛା ୧୨ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ।