ଇରାନର ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୩ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷୀୟା ମାନବଧିକାର କର୍ମୀ ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମହିଳାଙ୍କ ଅଧିକାର ଏବଂ ମାନବାଧିକାର ପାଇଁ ସେ କାର୍ଯ୍ୟ କରନ୍ତି ।

ଇରାନ ଜେଲରେ ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦିଙ୍କୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିବ। ଏ ସମ୍ପର୍କରେ ପରମ୍ପରା ଅନୁସାରେ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ୫୧ ବର୍ଷୀୟ ନର୍ଗିସ ଯୁବାବସ୍ଥାରୁ ହିଁ ଇରାନରେ ମହିଳା ବିରୋଧୀ ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛନ୍ତି। ଇରାନରେ ମହିଳାଙ୍କ ଅଧିକାରକୁ ସରକାର ଚାପି ଦେଉଥିବା ସେ ଅଭିଯୋଗ କରିଆସୁଛନ୍ତି।

ଏଥିପାଇଁ ସେ ଓ ତାଙ୍କ ସଂଗଠନ ବିକ୍ଷୋଭ ମଧ୍ୟ କରିବାର ନଜିର ରହିଛି। ଏଥିପାଇଁ ତାଙ୍କୁ ସରକାର ଗିରଫ କରି ଜେଲ ପଠାଇ ଦେଇଛନ୍ତି। ସବୁବେଳେ ଅହିଂସା ଉପାୟରେ ମହିଳାଙ୍କ ଅଧିକାର ପାଇଁ ନର୍ଗିସ ଲଢ଼େଇ କରୁଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମିଳିଛି। ମାନବାଧିକାର ଓ ସମସ୍ତଙ୍କ ସ୍ୱାଧୀନତା ଉପରେ ସେ କାମ କରୁଥିବାରୁ ନରୱେ ପକ୍ଷରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ନୋବେଲ ପୁରସ୍କାର ୱେବସାଇଟ ଅନୁସାରେ, ନର୍ଗିସ ମୋଟ ୧୩ ଥର ଗିରଫ ହୋଇଛନ୍ତି। ସେ ୫ ଥର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ମୋଟ ୩୧ ବର୍ଷର ଜେଲଦଣ୍ତ ପାଇଛନ୍ତି। ସେହିପରି ଇରାନର ନିୟମ ଅନୁସାରେ ତାଙ୍କୁ ୧୫୪ ଥର ବେତ୍ରାଘାତ ଦଣ୍ଡ ମଧ୍ୟ ମିଳିଛି।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ଜଣେ ବ୍ୟକ୍ତି ଓ ୨ଟି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ବେଲାଋଷର ମାନବାଧିକାର ଅଧିବକ୍ତା ଆଲେସ୍‌ ବାଲିଆସ୍କି, ଋଷିଆର ମାନବଧିକାର ସଂଗଠନ ମେମୋରିଆଲ ଓ ୟୁକ୍ରେନର ମାନବଧିକାର ସଂଗଠନ ସେଣ୍ଟର ଫର୍‌ ସିଭିଲ ଲିବର୍ଟିଜକୁ ବିଶ୍ବର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

Related Posts