(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଫନି କ୍ଷତିଗ୍ରସ୍ତଙ୍କୁ ଘର ଯୋଗାଇ ଦେବାକୁ ଚାଲିଛି ପୁନଃ ତଦନ୍ତ। ପୁରୀ ଜିଲ୍ଲାରେ ଫନିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଦେବାପାଇଁ ଚିହ୍ନଟ ହୋଇଥିବାବେଳେ ଏବେ ପୁଣି ଥରେ ତଦନ୍ତ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା । ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲାରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ତଥା ମାଟି ଘରେ ବସବାସ କରୁଥିବା ୧,୩୦,୫୮୭ ଜଣଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୬,୧୭୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଆବାସ ପ୍ଲସ ଓ ୪୪,୪୧୨ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପରିଚାଳିତ ଆରଏଚ୍ ପୋର୍ଟାଲ ଜରିଆରେ ଚିହ୍ନଟ କରାଯାଇଛି ।
ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାପାଇଁ ଚିହ୍ନଟ ହୋଇଥିବା ୮୬,୧୭୫ ପରିବାରଙ୍କ ତାଲିକା ଆବାସ ସଫ୍ଟ ରେ ପ୍ରଦର୍ଶିତ ହେବାର ଆବଶ୍ୟକତା ଥିବାବେଳେ ଏଥିରେ କବେଳ ୨୦୨ ପରିବାର ପ୍ରଦର୍ଶିତ ହେଉଛନ୍ତି । ବାକି ପରିବାରଙ୍କ ନାମ ପ୍ରଦର୍ଶିର୍ତ ଲାଗି କେନ୍ଦ୍ର ସରକାରଙ୍କୁ ଗଲା ଅଗଷ୍ଟ ୪ତାରିଖରେ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ପୁରୀ ଜିଲ୍ଲାରେ ୪୦,୧୫୮ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଞ୍ଜୁର ହୋଇଥିବାବେଳେ ୩୫,୭୧୯ ଟି ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ୪୪୬୦ଟି ପରିବାରକୁ ବିଜୁ ପକ୍କାଘର ଯୋଜନାରେ ଘର ମଞ୍ଜୁର ହୋଇଛି ଏବଂ ସେଥି ମଧ୍ୟରୁ ୪୦୬୯ ଟିର କାର୍ଯ୍ୟ ଶେଷ ହୋଇଛି । ପ୍ରଧାମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ୪୫୦କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଯେଉଁଥିରେ କେନ୍ଦ୍ର ସରକାରଙ୍କର ୬୦ ପ୍ରତିଶତ ଅଂଶଧନ ଥିବାବେଳେ ରାଜ୍ୟର ୪୦ ପ୍ରତିଶତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।