ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ ଭାରତୀୟ, ପର୍ଯ୍ୟଟନ ଋତୁ ଆରମ୍ଭ ପୂର୍ବରୁ ଥାଇ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଥାଇଲାଣ୍ଡ ଯିବାକୁ ଚାହିଁଥିଲେ ଖୁସି ଖବର । ବିନା ଭିସାରେ ଭାରତୀୟ କରିପାରିବେ ଥାଇଲାଣ୍ଡ ଯାତ୍ରା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ନାଗରିକଙ୍କୁ ବଡ଼ ଅଫର୍‌ ଦେଇଛି। ଥାଇଲାଣ୍ଡ ପର୍ଯ୍ୟଟନ ବିଭାଗ କହିଛି ଯେ, ନଭେମ୍ବର ୨୦୨୩ରୁ ୨୦୨୪ ମେ ମାସ ପର୍ଯ୍ୟନ୍ତ ବିନା ଭିସାରେ ଭାରତୀୟ ନାଗରିକ ଯାତ୍ରା କରିପାରିବେ।ଏହାସହ ତାଇଓ୍ୱାନ୍‌ ନାଗରିକଙ୍କ ପାଇଁ ଏହି ଅଫର୍‌ ରହିଛି। ୬ ମାସ ପର୍ଯ୍ୟନ୍ତ ଭିସା ନୀତି କୋହଳ ରହିବ। ଭିସାର ଅବଧି ୩୦ ଦିନ ପର୍ଯ୍ୟନ୍ତ ରହିଛି।

ଥାଇଲ୍ୟାଣ୍ଡରେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ସମୟରେ ଥାଇ ସରକାର ଏହି ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପଛରେ ଉଦ୍ଦେଶ୍ୟ ହେଉଛି ଦେଶକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା। ଚଳିତ ବର୍ଷ ମାଲେସିଆ, ଚୀନ୍ ଏବଂ ଦକ୍ଷିଣ କୋରିଆ ପରେ ପର୍ଯ୍ୟଟନ ପାଇଁ ଥାଇଲ୍ୟାଣ୍ଡର ଚତୁର୍ଥ ବୃହତ୍ତମ ଉତ୍ସ ବଜାର ଭାବରେ ଭାରତ ଉଭା ହୋଇଛି। ଚଳିତ ବର୍ଷ ପ୍ରାୟ ୧୨ ଲକ୍ଷ ଭାରତୀୟ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଏହାପୂର୍ବରୁ ବିନା ଭିସାରେ ଶ୍ରୀଲଙ୍କା ଯାତ୍ରା ନେଇ ଶ୍ରୀଲଙ୍କା ସରକାର ଘୋଷଣା କରିଥିଲେ।

ଥାଇ ସରକାର ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କୁ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ଥାଇଲାଣ୍ଡରେ ରହିବାକୁ ଅନୁମତି ଦିଆଯିବ। ଥାଇଲ୍ୟାଣ୍ଡର ଜଣେ ମୁଖପାତ୍ର କହିଛନ୍ତି ଯେ ଥାଇଲାଣ୍ଡର ଅର୍ଥନୀତିରେ ପର୍ଯ୍ୟଟନ ୨୫ ବିଲିୟନ ଡଲାରର ଅବଦାନ ରହିଛି। ଆମେ ଏହାକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି। ଥାଇଲାଣ୍ଡ ୨୦୧୯ରେ ଚୀନ୍ ନାଗରିକଙ୍କ ପାଇଁ ଭିସା ନିୟମକୁ ମଧ୍ୟକୋହଳ କରିଥିଲା, ଯେଉଁଥିରେ ଥାଇଲ୍ୟାଣ୍ଡରେ ଚୀନ୍‌ର ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

Related Posts