ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁଙ୍କ ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଶାଳ ବିଜୟ ପରେ ‘ମୋଦି ହୈ ତେ ମୁମକିନ୍ ହୈ’ ନାରା ଦେଇ ବିବାଦରେ ଥିବା ସାଂସଦ ସୁନୀଲ ଏବେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ଇଣ୍ଡିଆ ମେଣ୍ଟ ବୈଠକକୁ କେବଳ ଚା’ ଏବଂ ସିଙ୍ଗଡ଼ାରେ ସୀମିତ ବୋଲି କହି କଟାକ୍ଷ କରିଛନ୍ତି। ପିଣ୍ଟୁ କହିଛନ୍ତି ଯେ, ସବୁ ଦଳ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ସିଟ୍ ବଣ୍ଟନ ନ ହେବା ପର୍ଯ୍ୟନ୍ତ ‘ଇଣ୍ଡିଆ’ ମେଣ୍ଟର ବୈଠକ କେବଳ ଚା’ ଓ ସିଙ୍ଗଡ଼ା ମଧ୍ୟରେ ସୀମିତ। ଏହାର କୌଣସି ମୂଲ୍ୟ ନାହିଁ ।
ସେହିପରି ତିନି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ପିଣ୍ଟୁ କହିଛନ୍ତି ଯେ, ହିନ୍ଦୀ ହାର୍ଟଲ୍ୟାଣ୍ଡର ଜନତା ମୋଦିଙ୍କୁ ହିଁ ଚାହୁଁଛନ୍ତି। ଆମକୁ ଲୋକମାନଙ୍କ ପସନ୍ଦ ବୁଝି ବିଚାରି ଆଗାମୀ ରଣନୀତି ଉପରେ କାର୍ଯ୍ୟ କରିବା ଉଚିତ୍। ସେ ଆହୁରି କହିଛନ୍ତି ଯେ, ସେ ବିଜେପି ସହିତ ଅଛନ୍ତି ଏବଂ ହୃଦୟରୁ ଜଣେ ବିଜେପି ବ୍ୟକ୍ତି। ତାଙ୍କୁ ବିଜେପି ଦ୍ୱାରା ଜେଡି(ୟୁ)କୁ ପଠାଯାଇଛି। ଜେଡି(ୟୁ) ମୁଖ୍ୟମନ୍ତ୍ରୀ ନୀତୀଶ କୁମାନଙ୍କ ନିର୍ଦ୍ଦେଶ କ୍ରମେ ସେ ଯେକୌଣସି ସମୟରେ ଦଳରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସହ ମିଳିତ ଭାବେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ପସନ୍ଦ କରୁନାହାନ୍ତି।
ସେପଟେ ଏପରି ମନ୍ତବ୍ୟ ପରେ ଜେଡି(ୟୁ) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ମୁଖପାତ୍ର ନୀରଜ କୁମାର କହିଛନ୍ତି, ଯଦି ପିଣ୍ଟୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏତେ ପ୍ରଭାବିତ ତେବେ ସେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦିଅନ୍ତୁ।