ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଡୁଆରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜ ଦାସ। ଆଜି ସକାଳେ ତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରଜଙ୍କ ଧନକଉଡା ସ୍ଥିତ ବାସଭବନରେ ରେଡ୍ କରୁଛି ଆୟକର ବିଭାଗର ଟିମ୍। ତେବେ କାହିଁକି ଏବଂ କେଉଁ ଲିଙ୍କରେ ଏହି ରେଡ୍ ଚାଲିଛି ତାହା ଜଣାପଡ଼ି ନାହିଁ।
ବ୍ରଜ ଦାସ ଆୟକର ଫାଙ୍କିଛନ୍ତି ନା ଏହା ରୁଟିନ୍ ଚେକ୍ ପାଇଁ ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ବିଭାଗର ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି। ବ୍ରଜ ଦାସ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର। ତେବେ ରେଡ୍ ନେଇ ଆୟକର ଅଧିକାରୀ କିମ୍ବା ବ୍ରଜ ଦାସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।
ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବରୁ ବ୍ରଜଙ୍କ ଘରେ ରେଡ୍ କରିଥିଲା ଆୟକର ଟିମ୍। ତେବେ ରେଡ୍ ବେଳେ ବ୍ରଜଙ୍କ ଘରେ କ’ଣ ସବୁ ମିଳିଥିଲା, ତାହା ଜଣାପଡ଼ି ନଥିଲା।
ନବ ଦାସ ଭାଇଙ୍କ ଘର ସମେତ ରାଜ୍ୟରେ ୨୦ ଟି ସ୍ଥାନରେ ଆଇଟି ରେଡ୍ କରାଯାଇଛି। ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗିର ସମେତ ୨୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।