ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ରେଡ୍

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ୨୦୦୨ ମସିହା ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତ ସରକାର ବ୍ୟାନ କରିବା ପରେ ଏବେ ବିବିସିର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ କରିଛି। ଆଜି ଆୟକର ବିିଭାଗ ଦିଲ୍ଲୀ ବିବିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ସେମାନଙ୍କୁ କାର୍ଯ୍ୟାଳୟ ଛାଡି ଘରକୁ ଫେରିଯିବାକୁ କୁହାଯାଇଛି ।ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଟିଏମସି ସାଂସଦ ମହୁଆ ମୋଇତ୍ରା ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢାଉ ସଂପର୍କରେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିବିସି ଦ୍ଵାରା ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଆସିଥିଲା । ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେଶିତ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ପ୍ରପୋଗେଣ୍ଡା ବୋଲି କହି ଏହାର ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ହେଲେ କୋର୍ଟ ଏହି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ । ସେପଟେ ଆଜିର ଆୟକର ଚଢାଉକୁ ବିରୋଧୀମାନେ ବିବିସି ଡକ୍ୟୁମେଣ୍ଟାରୀ ସହ ଯୋଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

Related Posts