ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରେଢ଼ାଖୋଲ ତହସିଲଦାରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ | ଜିଲ୍ଲା ପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଓ ମାରିବାକୁ ଚପଲ ଉଠାଇବା ଘଟଣାର ତଦନ୍ତ ନିର୍ଦେଶ ଦେଲେ ରାଜସ୍ବ ମନ୍ତ୍ରୀ | ଏନେଇ ନିଜେ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, ଜଣେ ଜନ ପ୍ରତିନିଧିଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିବା କେବେ ବି ଗ୍ରହଣୀୟ ନୁହେଁ | ରେଢ଼ାଖୋଲ ତହସିଲଦାରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ନିର୍ଦେଶ ଦିଆଯାଇଛି | 24 ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଏହାର ତଦନ୍ତ କରି ରିପୋର୍ଟ ଦେବେ | ଦୋଷୀ ପ୍ରମାଣିତ ହେଲେ ତହସିଲଦାରଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମନ୍ତ୍ରୀ କହିଛନ୍ତି |
ତେବେ ବୁଧବାର ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ | ବୁଧବାର ଶରତ ନିଜର କିଛି ଜମିଜମା ମାମଲାରେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶରତ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।
ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ତହସିଲଦାର ଶରତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଵା ସହ ଚପଲରେ ପିଟିବାକୁ ଉଦ୍ୟମ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦେଶରେ ଜଣେ କର୍ମଚାରୀ ତାଙ୍କୁ ଧକ୍କା ଆଉ ମୁଥ ମାରିମାରି କାର୍ଯ୍ୟାଳୟରୁ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା | ଏନେଇ ଶରତ ଥାନାରେ ଏତଲା ମଧ୍ୟ ଦେଇଛନ୍ତି | ଅନ୍ୟପଟେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ତନ କରିଛନ୍ତି।