ଭୁବନେଶ୍ୱର,୩୦/୧୦(ସତ୍ୟପାଠ ବ୍ୟୁରୋ): ଖୁବ୍ ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଏହି ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ମଧ୍ୟ ରି-ଚେକ୍ ହେବ। ଦରକାର ପଡ଼ିଲେ ବାରମ୍ବାର ଚେକ ହେବ। କେହି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।
ତେବେ ରାଜ୍ୟରେ ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ୧କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବାରୁ ଆହୁରି ପ୍ରାୟ ୪୦ଲକ୍ଷ ଆବେଦନକାରୀ ଅନୁଦାନ ଅପେକ୍ଷାରେ ରହିଛନ୍ତି।