ଭାରତୀୟ ପାଣିପାଗ ବିଭାଗରେ ବେଲୁନ ବଦଳେ ଏବେ ବ୍ୟବହାର ହେବ ଡ୍ରୋନ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବାୟୁମଣ୍ଡଳ ଡାଟା ଏକତ୍ର କରିବା ପାଇଁ ଉପଯୋଗ କରୁଥିବା ବେଲୁନ ଆଉ ବ୍ଯବହାର କରାଯିବ ନାହିଁ । ବେଲୁନ ବଦଳରେ ଏବେ ଡ୍ରୋନ ମୁତୟନ ହେବ । ପାଣିପାଗ ପରିସ୍ଥିତି ଜାଣିବା ଲାଗି ସାରା ଦେଶରେ ଏବେ ଅନୁନ୍ୟ ୫୫ଟି ସ୍ଥାନରେ ଦୈନିକ ଦୁଇ ଥର ପାଣିପାଗ ବେଲୁନ ଛଡା ଯାଉଛି। ଏହି ସବୁ ବେଲୁନରେ ସେନସର ପଠାଯାଇ ଡାଟା ଏକତ୍ର କରାଯାଉଛି।

ବେଲୁନ ଗୁଡିକରେ ରେଡିଓସାଣ୍ଡ ନାମକ ଟେଲିମେଟ୍ରି ଉପକରଣ ପଠାଯାଇ ବାୟୁମଣ୍ଡଳୀୟ ଚାପ, ତାପମାତ୍ରା, ପବନର ଦିଗ ଓ ଗତି ରେକର୍ଡ କରାଯାଇଥାଏ। ହାଇଡ୍ରୋଜନ ଭର୍ତ୍ତି ପାଣିପାଗ ବେଲୁନ ଉପରକୁ ୧୨ କିଲୋମିଟର ପର୍ଯ୍ୟନ୍ତ ଉଠିପାରେ ଓ ରେଡିଓ ମାଧ୍ୟମରେ ଗ୍ରାଉଣ୍ଡ ରିସିଭରକୁ ତଥ୍ୟ ସଞ୍ଚାର କରେ। ତେବେ ଛଡା ଯାଉଥିବା ବେଲୁନ ଓ ଏଥିରେ ଥିବା ରେଡିଓସାଣ୍ଡ ଦ୍ୱିତୀୟବାର ମିଳିପାରିନଥାଏ। କାରଣ ଏହା ପାଣିପାଗ ବିଜ୍ଞାନ କେନ୍ଦ୍ରଠାରୁ ଢେର ଦୂରକୁ ଉଡି ଯାଇଥାଏ।

ଏଣୁ ଏବେ ବାୟୁମଣ୍ଡଳୀୟ ଡାଟା ଏକତ୍ର କରିବା ପାଇଁ ଏପରି ବେଲୁନ ବଦଳେ ଡ୍ରୋନ ବ୍ୟବହାର ଲାଗି ସମ୍ଭାବନା ସନ୍ଧାନ କରଯାଉଛି। ଏଥିରେ ବାୟୁ ମଣ୍ଡଳୀୟ ତଥ୍ୟ ସଂଗ୍ରହ ପାଇଁ ସେନସର ଥିବା ସ୍ୱତନ୍ତ୍ର ଡ୍ରୋନ ପାଣିପାଗ ବେଲୁନର ସ୍ଥାନ ନେଇ ପାରିବ ବୋଲି କୁହାଯାଇଛି। ପାଣିପାଗ ବେଲୁନ ବଦଳେ ଡ୍ରୋନ ଲାଭଜନକ ହେବ । କାରଣ ଏହାକୁ ନିୟନ୍ତ୍ରିତ କରାଯାଇପାରିବ। ଏହାକୁ ଉଚ୍ଚତା ଅନୁସାରେ ଉଡିବା ଲାଗି ମଧ୍ୟ ନିର୍ଦ୍ଦେଶିତ କରାଯାଇପାରିବ। ଏବେ ଏଥିଲାଗି ପରୀକ୍ଷାମୂଳ ପ୍ରୟୋଗ କରାଯିବ। ପାଣିପାଗ ବେଲୁନ ଓ ଡ୍ରୋନ ସେନସର ଦ୍ୱାରା ସଂଗୃହୀତ ତଥ୍ୟକୁ ମେଳ କରି କେଉଁଟି ଅଧିକ ସଠିକ ତାହା ଦେଖାଯିବ ।

Related Posts