“ସରକାରକୁ ଆସିଲେ ୫୦୦ ଟଙ୍କାରେ ଦେବୁ ଏଲପିଜି ସିଲିଣ୍ଡର”; ଗୁଜୁରାଟରେ ରାହୁଲ ଗାନ୍ଧିଙ୍କ ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଶେଷ ଆଡ଼କୁ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ କଂଗ୍ରେସ ଅଧକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଆଜି ଗୁଜୁରାଟ ଗସ୍ତରେ ଯାଇଛନ୍ତି । ସେଠାରେ ଆୟେଜିତ ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ଭୋଧିତ କରି ଆଗାମୀ ନିର୍ବାଚନ ପାଇଁ ଅନେକ ପ୍ରତିଶ୍ରୁତି ଦେବାସହ ବିଜେପି ଉପରେ ବର୍ଷିଛନ୍ତି ରାହୁଲ।ଏହି ସଭାରେ ରାହୁଲ କହିଛନ୍ତି ଯେ, ଯଦି କଂଗ୍ରେସ ଗୁଜୁରାଟରେ ସରକାରକୁ ଆସେ ତେବେ ସମସ୍ତ ଗ୍ରାହକଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ।

ଏହି ସଭାରେ ରାହୁଲ ଗାନ୍ଧି ନିର୍ବାଚନ ପାଇଁ ଆହୁରି ଅନେକ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟରେ ଆମେ ସରକାରକୁ ଆସିଲେ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବୁ ଏବଂ ସାଧାରଣ ଗ୍ରାହକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମଧ୍ୟ ଦିଆଯିବ । ସେ ଆହୁରି କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ସାବରମତୀ ନଦୀ କୂଳରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ବିଜେପିକୁ ଜୋରଦାର ଟାର୍ଗେଟ କରି କହିଛନ୍ତି ଯେ, ଗୁଜରାଟ ଏବେ ଡ୍ରଗ୍ସ କେନ୍ଦ୍ରରେ ପରିଣତ ହୋଇଛି । ଗୁଜୁରାଟରୁ କ୍ରମାଗତ ଭାବେ ବାହାରୁଥିବା ଡ୍ରଗ୍ସ ମାମଲା ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି । ଗୁଜୁରାଟର ଯୁବକଙ୍କ ଭବିଷ୍ୟତକୁ ବିଜେପି ସରକାର ନଷ୍ଟ କରୁଛନ୍ତି । ମୁଣ୍ଡ୍ରା ବନ୍ଦରରେ ପ୍ରତି ୨-୩ ମାସରେ ଡ୍ରଗ୍ସ ମିଳୁଛି । ଏହାକୁ ନେଇ କଣ ପାଇଁ ସରକାର ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିବା ସହ ଡ୍ରଗ୍ସ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ରାହୁଲ ଅଭିଯୋଗ କରିଛନ୍ତି।

Related Posts