ଦାୟିତ୍ବ ଦେଲାନି ବିଜେପି, ହିମାଳୟ ଯିବେ ଉମା; ଶିବରାଜଙ୍କୁ ମନେ ପକାଇଦେଲେ ପୂର୍ବ ନିର୍ବାଚନ ପ୍ରତିଶ୍ରୁତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ ୨ ଦଶନ୍ଧି ତଳେ ତଥା ୨୦୦୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ହାସଲ ପାଇଁ ନେତୃତ୍ବ ନେଇଥିଲେ। ଏକଦା ମଧ୍ୟପ୍ରଦେଶରେ କ୍ଷମତାର କେନ୍ଦ୍ରବିନ୍ଦୁ ଥିବା ଉମା କିନ୍ତୁ ଏବେ ଦଳ ପାଇଁ ଏକ ପ୍ରକାର ଅଲୋଡ଼ା। ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୩ ସପ୍ତାହ ଥିବାବେଳେ ଉମା ଭାରତୀ ଦଳର ତାରକା ପ୍ରଚାରକ ତାଲିକାରେ ମଧ୍ୟ ନାହାନ୍ତି। ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉମା ଭାରତୀ ରାଜନୀତିର ମୁଖ୍ୟସ୍ରୋତରୁ ଦୂରେଇ ରହିଛନ୍ତି। ୨୦୧୮ରେ ସେ ବିଜେପିର ତାରକା ପ୍ରଚାରକ ତାଲିକାରେ ଥିଲେ। କିନ୍ତୁ ଚଳିତ ଥର ସେ ତାରକା ପ୍ରଚାରକ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଚଳିତ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିନଥିବା ଉମା ଭାରତୀ ହିମାଳୟ ଯାଉଥିବା ଘୋଷଣା କରିଛନ୍ତି।

ଉମା ଭାରତୀ ଏକ ଟ୍ବିଟ୍‌ କରି କହିଛନ୍ତି, ଆଜି ମୁଁ ମୋ ଜନ୍ମସ୍ଥାନ ଟିକମଗଡ଼ର ଦୁନ୍ଦା ଗ୍ରାମକୁ ଯିବି। ସେଠାରେ ମୁଁ ମୋ ମାତୃ ଏବଂ ପିତୃ କୁଳର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବା‌ପରେ ଓର୍ଚ୍ଚା ରାମରାଜ ସରକାରଙ୍କୁ ପୂଜାର୍ଚ୍ଚନା କରିବି ଏବଂ ଏହାପରେ ମୁଁ ହିମାଳୟ ଯିବି। ତେବେ ରାଜ୍ୟରେ ଶିବରାଜ ସିଂହ ଚୌହାନ ଙ୍କ ନେତୃତ୍ୱରେ ଥିବା ନିଜ ଦଳର ସରକାରକୁ ବିରୋଧ କରୁଥିବା ଉମା ଭାରତୀ ରାଜ୍ୟରେ ମଦ ନିଷିଦ୍ଧ ପାଇଁ ଦାବି କରିଛନ୍ତି। ଦଳ ପାଇଁ ସେ ଶୁଭ କାମନା କରିବା ସହ ଦଳ ପୂରଣ କରିନଥିବା ବିଭିନ୍ନ ନିର୍ବାଚନ ପ୍ରତିଶ୍ରୁତି ସଂକ୍ରାନ୍ତରେ ସେ ମନେ ପକାଇ ଦେଇଛନ୍ତି। ଉମା ଭାରତୀ କହିଛନ୍ତି, ମଧ୍ୟପ୍ରଦେଶରେ ଦଳର ନିର୍ବାଚନୀ ଇସ୍ତାହାର ଏଯାବତ ଆସିଲାନି। ତେବେ ମୁଁ ଭଗବାନଙ୍କ ପାଖରେ ଏହା ପ୍ରାର୍ଥନା କରୁଛି ଯେ ଆମ ସରକାର ଗଠନ ହେବ ଏବଂ ମୋର ଏବଂ ଅନ୍ୟମାନଙ୍କର ଅଧୁରା ଆକାଂକ୍ଷା ପୂରଣ ହେବ। ୨୦୦୩ରେ ମୁଖ୍ୟମନ୍ତ୍ରୀ ଭାବେ ଭାରତୀ ‘ପଞ୍ଚ ଜେ’ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ପଞ୍ଚ ଜେ ହେଉଛି – ଜନ, ଜଳ, ଜଙ୍ଗଲ, ଜାନୱାର ଏବଂ ଜମିନ । ପଞ୍ଚ ଜେ ଅଭିଯାନ ସମ୍ପୂର୍ଣ୍ଣ ହୋଇନାହିଁ ବରଂ ଏହା ଖଣ୍ଡ ଖଣ୍ଡ ହୋଇଯାଇଛି ବୋଲି ସେ ଶିବରାଜ ସରକାର କୁ ମନେ ପକାଇ ଦେଇଛନ୍ତି।

Related Posts