ଆଉ ଏକ ଫେସବୁକ ପୋଷ୍ଟ ଲେଖି , ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ଟାର୍ଗେଟ କଲେ ବାବୁଲ ସୁପ୍ରିଓ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟ । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ହଠାତ୍ ରାଜନୀତିକୁ ଅଲବିଦା କହିବା ପରେ ରାଜନୈତିକ ମହଲରେ ଏ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ମଧ୍ୟରେ ବର୍ତ୍ତମାନ ସେ ଆଉ ଏକ ଫେସବୁକ ପୋଷ୍ଟ ଲେଖିଛନ୍ତି। 

ଏଥିରେ ସେ ବେଙ୍ଗଲ ବିଜେପି ମୁଖ୍ୟ ଦିଲୀପ ଘୋଷ ଏବଂ ଟିଏମସି ନେତା କୁନାଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି।  ବଙ୍ଗାଳୀ ଭାଷାରେ ଏହି ପୋଷ୍ଟ ସହିତ ବାବୁଲ ଦିଲୀପ ଘୋଷ ଏବଂ କୁନାଲ ଘୋଷଙ୍କ ମନ୍ତବ୍ୟର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି। ଏଥି ସହିତ ସେ ଲେଖିଛନ୍ତି ଯେ ରାଜନୀତି ଛାଡିବା ପରେ ତାଙ୍କୁ ଏଭଳି ମନ୍ତବ୍ୟ ଦେଇ ଯିବାକୁ ପଡ଼ିବ ନାହିଁ।  ଏହା ତାଙ୍କର ସକରାତ୍ମକ ଶକ୍ତି ସଞ୍ଚୟ କରିବ ଏବଂ ସେ ଏହାକୁ ଉନ୍ନତ କାର୍ଯ୍ୟ ପାଇଁ ବ୍ୟବହାର କରିବେ ।

  ଦିଲୀପ ଏବଂ କୁନାଲଙ୍କ ମନ୍ତବ୍ୟ ଉପରେ ବାବୁଲ ଲେଖିଛନ୍ତି ଯେ ମୋ ନିଷ୍ପତ୍ତି ସମ୍ପର୍କରେ ତୁମେ ମାନେ ଯାହା ବି କହିଛ ସେ ସବୁ ମୁଁ ପଢିଛି। ସମସ୍ତେ ନିଜ ନିଜର ଭାଷାରେ ଏହାର ବ୍ୟାଖ୍ୟା କରୁଛନ୍ତି । ଏବଂ କିଛି ଲୋକ ସମର୍ଥନ କରୁଛନ୍ତି ଆଉ କିଛି ବିରୋଧ ମଧ୍ୟ କରୁଛନ୍ତି। ବାବୁଲ ସୁପ୍ରିୟୋ କହିଛନ୍ତି ଯେ ମୁଁ ଏସବୁକୁ ଗ୍ରହଣ କରୁଛି , କିନ୍ତୁ ମୁଁ ଏ ସବୁର ଜବାବ ନିଜ କାର୍ଯ୍ୟ ସହି ଦେବି। ସେ ପ୍ରଶ୍ନ କରିଛନ୍ତି ଯେ ଭଲ କାମ କରିବା ପାଇଁ ସାଂସଦ କିମ୍ବା ମନ୍ତ୍ରୀ ହେବା ଆବଶ୍ୟକ କି ?  ବାବୁଲ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ମୋର ଗୀତ ଏବଂ ଶୋ ଉପରେ ଧ୍ୟାନ ଦେବି। ବର୍ତ୍ତମାନ ମୋ ପାଖରେ ବହୁତ ଅଧିକ ସମୟ ଅଛି । 

 ସୂଚନାଯୋଗ୍ୟ ଯେ ବାବୁଲ ସୁପ୍ରିଓ ରାଜନୀତିରୁ ଅବସର ଘୋଷଣା କରିବା ପରେ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କିଏ କଣ ଲେଖୁଛନ୍ତି ସେ ତାହା ଦେଖନ୍ତି ନାହିଁ।  ମୂଳ କଥା ହେଉଛି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି କି ନାହିଁ ?  ରାଜନୀତିକୁ ଆସିବା କିମ୍ବା ଯିବା ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି ହୋଇପାରେ।  ଦିଲୀପ ଘୋଷ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଫେସବୁକରେ ଏକ ପୋଷ୍ଟ ଲେଖି ରାଜନୀତିରୁ ବିଦାୟ ନିଆଯାଇ ନଥାଇ।

  ଅନ୍ୟପକ୍ଷରେ ଟିଏମସି ନେତା କୁନାଲ ଘୋଷ ବାବୁଲଙ୍କ ଇସ୍ତଫାକୁ ନେଇ କହିଛନ୍ତି ଯେ ବର୍ତ୍ତମାନ ଲୋକସଭା ଚାଲିଛି।  ସେଠାରେ ସ୍ପିକର ବସିଛନ୍ତି। ସେଠାରେ ଇସ୍ତଫା ଦେବା ପରିବର୍ତ୍ତେ ଫେସବୁକରେ ଡ୍ରାମା କରାଯାଉଛି। କୁନାଲ କହିଥିଲେ ଯେ ବାସ୍ତବରେ ସେ ରାଜନୀତି ଛାଡିବାକୁ ଚାହୁଁନାହାଁନ୍ତି। ସେ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ଠିକ୍ ଯେପରି ଧର୍ମେନ୍ଦ୍ର “ଶୋଲେ” ଫିଲ୍ମରେ ଏକ ଟ୍ୟାଙ୍କ ଉପରକୁ ନାଟକ କରିଥିଲେ। ପୂର୍ବରୁ ସେ ଗୀତ ଗାଉଥିଲେ, ଏବେ ସେ ( ଵାବୁଲ ସୁପ୍ରିଓ) ନାଟକ କରୁଛନ୍ତି ।

 ଗୋଟିଏ ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସମାଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ। ଏବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ରାଜନୀତିରେ ରହିବା ଆବଶ୍ୟକ ନୁହେଁ। 

ଉଲ୍ଲେଖଯୋଗ୍ୟ ଯେ , ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ନିକଟରେ ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 

Related Posts