“ମୋତେ ଭଲ ହିନ୍ଦୀ ଆସେ”; ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ କଂଗ୍ରେସ ଅଧ୍ୟକ୍ଷ ଚୟନ ନେଇ ଶଶି ଥରୁରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଧ୍ୟକ୍ଷ ନିର୍ବାଚନକୁ ନେଇ ଏବେ କଂଗ୍ରେସ ଦଳ ଭିତରେ ରାଜନୀତି ସରଗରମ ହୋଇଛି। ଦେଶର ସର୍ବପୁରାତନ ଦଳର ମଙ୍ଗ ଏଥର ଗାନ୍ଧି ପାରିବାର ହାତରେ ରହିବ ନା କେହି ଅଣଗାନ୍ଧିଙ୍କ ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ ଅଧ୍ୟକ୍ଷ ପଦ ରେସ ରେ ତାଙ୍କ ନାଁ ଆସିବା ପରେ ଗାନ୍ଧି ପରିବାର ପ୍ରତି ଏକ ଚାଲେଞ୍ଜ ସୃଷ୍ଟି ହୋଇଛି। ଏସବୁ ଭିତରେ ଶଶି ଥରୁର ଏହି ପଦ ପାଇଁ ଯୋଗ୍ୟ ବୋଲି ଇସାରା ମାଧ୍ୟମରେ ଜଣାଇ ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଥରୁର ଭଲ ହିନ୍ଦୀ କହିପାରନ୍ତି ବୋଲି କହିଛନ୍ତି । ତାଙ୍କୁ ସାମ୍ବାଦିକମାନେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନ କରିଥିଲେ। ଜଣେ ସାମ୍ବାଦିକ କହିଥିଲେ ଯେ, ଏଥର ଜଣେ ହିନ୍ଦୀ ଭାଷାଭାଷୀ ଅଞ୍ଚଳର ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ନେଇ ଶୁଣାଯାଉଛି । ଏହାକୁ ନେଇ ଆପଣଙ୍କ ମତ କଣ? ଏହି ପ୍ରଶ୍ନର ଜବାବରେ ଶଶି ଥରୁର କହିଥିଲେ ଯେ “ମୋତେ ଭଲ ହିନ୍ଦୀ ଆସେ । ମୁଁ ପ୍ରାଞ୍ଜଳଭାବେ ହିନ୍ଦୀ କହିପାରେ।” ସେ ଆହୁରୀ କହିଛନ୍ତି ଯେ, ସେ ହେଉଛନ୍ତି ଜଣେ ଭାରତୀୟ। ଯଦି ଆପଣ ଏବେକାର ଜମାନାରେ ଭାରତରେ ରାଜନୀତି କରିବେ ତେବେ ଆପଣଙ୍କୁ ହିନ୍ଦୀ କହିବାକୁ ପଡ଼ିବ। ଦକ୍ଷିଣ ଭାରତୀୟ ମାନେ ମଧ୍ୟ ଏବେ ଭଲ ହିନ୍ଦୀ କହିଲେଣି ବୋଲି ଥରୁର କହିଛନ୍ତି। ମୁଁ ମଧ୍ୟ ହିନ୍ଦୀ କହିପାରେ। ଯଦି ସେମାନେ ହନ୍ଦୀ ଭାଷାଭାଷୀ ନେତାଙ୍କୁ ଅଧ୍ୟକ୍ଷ ଭାବେ ବାଛିବେ ସେୟା କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାର୍ଟିର ଅଧ୍ୟକ୍ଷ ପଦ ଲାଗି ଶଶି ଥରୁର ଯୋଗ୍ୟ ବୋଲି କହିଛନ୍ତି କେରଳ କଂଗ୍ରେସର ସଭାପତି କେ ସୁଧାକରଣ। କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ, ତେଣୁ ଥରୁର ଅଧ୍ୟକ୍ଷ ନିର୍ବାଚନ ଲଢି ପାରନ୍ତି। ଯଦି ଥରୁର ନିର୍ବାଚନ ଲଢିବାକୁ ଚାହାନ୍ତି ତେବେ ତାଙ୍କ ଉପରେ ଅଭିଯୋଗ ଲଗାଇବାର କୌଣସି ଅର୍ଥ ନାହିଁ। ସୁଧାକରଣ ଆହୁରି କହିଛନ୍ତି ଯେ, କଂଗ୍ରେସର ସମସ୍ତ ସଦସ୍ୟଙ୍କୁ ନିର୍ବାଚନ ଲଢିବାର ସ୍ଵାଧୀନତା ଏବଂ ଅଧିକାର ରହିଛି। କାରଣ ଏହା ଏକ ଗଣତାନ୍ତ୍ରିକ ଦଳ। ଯଦି ଥରୁର ଚାହୁଁଛନ୍ତି ତେବେ ସେ ଲଢି ପାରିବେ।

ଉଲ୍ଲେଖନୀୟ ଯେ, ଥରୁର ଅଧ୍ୟକ୍ଷ ନିର୍ବାଚନ ଲଢିବାର ସଙ୍କେତ ଦେଇଛନ୍ତି। ମଙ୍ଗଳବାର ଏହି ବିଷୟରେ ପଚରାଯିବାରୁ ସେ କହିଥିଲେ, ଥରୁଟିଏ ନିର୍ବାଚନର ଅଧିସୂଚନା ଜାରି ହୋଇଯାଉ। ଏହାପରେ ନିଜର ପ୍ରାର୍ଥୀତ୍ଵ ବିଷୟରେ ନିଷ୍ପତ୍ତି ନେବି ବୋଲି ଥରୁର କହିଥିଲେ। ତେବେ ଥରୁର ହେଉଛନ୍ତି ବିଦ୍ରୋହୀ ଜି-୨୩ ଗୋଷ୍ଠୀର ଅନ୍ୟତମ ସଦସ୍ୟ। ଯେଉଁମାନେ କିଛି ବର୍ଷ ପୂର୍ବେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ସାଂଗଠନିକସ୍ତରରେ ବ୍ୟାପକ ପରିବର୍ତ୍ତନ ଦାବି କରିଥିଲେ। ଏହି ଚିଠି ପରେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖିବାକୁ ମିଳିଥିଲା।

Related Posts