“ମୁଁ ଖ୍ରୀଷ୍ଟିଆନ୍ ତେଣୁ ତ୍ରିରଙ୍ଗାପତାକାକୁ ସାଲ୍ୟୁଟ୍ କରିବି ନାହିଁ “, ସ୍କୁଲ ପ୍ରିନ୍ସିପାଲଙ୍କ ବିବାଦୀୟ ବୟାନ ଉପରେ ତଦନ୍ତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପତାକାକୁ ସାଲ୍ୟୁଟ କରିବାକୁ ମନା କରିଦେଇଥିଲେ। ସୂଚନାନୁସାରେ, ସେ ଜଣେ ଖ୍ରୀଷ୍ଟିଆନ ହୋଇଥିବା ଦର୍ଶାଇ ପ୍ରିନ୍ସିପାଲ୍ ପତାକା ଉତ୍ତୋଳନ ଓ ତ୍ରିରଙ୍ଗାକୁ ଅଭିବାଦନ କରିବାକୁ ମନା କରିଦେଇଥିଲେ। ଏହି ମାମଲା ସବୁଆଡେ ଚର୍ଚ୍ଚାର ବିଷୟ ହେବାପରେ ମୁଖ୍ୟ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ବାସ୍ତବରେ ଧର୍ମପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତାମିଲସେଲଭି ଚଳିତ ବର୍ଷ ଅବସର ନେଉଛନ୍ତି। ସୂଚନା ଅନୁଯାୟୀ, ତାଙ୍କୁ ସମ୍ମାନିତ କରିବା ପାଇଁ ସ୍ଵାଧୀନତା ଦିବସ ଅବସରରେ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ସେ ପତାକା ଉତ୍ତଳନ କରିବାକୁ ମନା କରିବାରୁ ସ୍କୁଲର ଭାଇସ ପ୍ରିନ୍ସିପାଲଙ୍କ ଦ୍ଵାରା ପତାକା ଉତ୍ତଳନ କରାଯାଇଥିଲା। ଏହି ଘଟଣାରେ ପ୍ରିନ୍ସିପାଲ୍ ତାମିଲସେଲଭି କହିଛନ୍ତି ଯେ, ତାଙ୍କ ଧାର୍ମିକ ବିଶ୍ୱାସ ତାଙ୍କୁ ପତାକା ଉତ୍ତୋଳନ କରିବାକୁ ଅନୁମତି ଦେଇନାହିଁ। ତେବେ ତାଙ୍କ ମନରେ ତ୍ରିରଙ୍ଗା ଯଥେଷ୍ଟ ସମ୍ମାନ ଥିବା ସେ ଏକ ଭିଡିଓରେ କହିଛନ୍ତି।

ସୂଚନା ଅନୁସାରେ ସେ ପୂର୍ବରୁ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ଏବଂ ତ୍ରିରଙ୍ଗାକୁ ସାଲ୍ୟୁଟ୍ କରିବାକୁ ମନା କରିଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଧର୍ମପୁରୀର ମୁଖ୍ୟ ଶିକ୍ଷା ଅଧିକାରୀ (ସିଇଓ) ଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗ ପରେ ମୁଖ୍ୟ ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Related Posts