ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପଦ୍ମପୁର ଉପନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଏହି ଫଳାଫଳରେ ବିଜେଡି ଓ ବିଜେପି ମଧ୍ୟରେ ମୁଖ୍ୟ ଲଢେଇ ହୋଇଥିବାବେଳେ ବିଜେଡି ବିପୁଳ ଭୋଟରେ ବାଜି ମାରି ନେଇଛି । ତେବେ ଏହି ଲଢେଇରେ ଅମାନତ ହାରିଛି କଂଗ୍ରେସ । ଦଳର ଏଭଳି ଶୋଚନୀୟ ପରାଜୟ ପରେ ବିସ୍ଫୋରକ ବୟାନ ଦେଇଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଆମ ଭୋଟ ବିଜେଡିକୁ ଯାଇଛି। ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। ନିକଟରେ ସାରିଥିବା ଦୁଇ ଦୁଇଟା ଉପନିର୍ବାଚନରେ ଆମର ଅମାନତ ଗଲାଣି। ଆମ ପାଇଁ ଲଜ୍ଜାଜନକ କଥା। ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର ବୋଲି ତାରା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆଜି ଯାଏ ପିସିସି କମିଟି ଗଠନ ହୋଇପାରିନି। ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ସମ୍ପୂର୍ଣ ଲୋପ ପାଇଯିବ ବୋଲି ତାରା କହିଛନ୍ତି । ଏହାସହିତ ସେ ପିସିସି ସଭାପତିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପିସିସି ସଭାପତି ଦିନକୁ ପୂର୍ବରୁ ଆମେ ହାରିଯିବୁ ବୋଲି ମିଡିଆକୁ କହିଲେ, ସେ କେମିତି ଜାଣିଲେ ବୋଲି ତାରା ପ୍ରଶ୍ନ କରିଛନ୍ତି । ଆଉ କହିଛନ୍ତି ଯେ, ହଉ ହେଲା, ତାଙ୍କ କଥା ରହିଲା। ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି। ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି। ଦଳ ପାଇଁ ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ତାରା କହିଛନ୍ତି ।
ସେ ଆହୁରି କହିଛନ୍ତି, ପଦ୍ମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି। ରାତିକରେ ସରକାର ବଦଳିପାରେ। ନବୀନ ସରକାର ଏଠି ବିଜେପି ସହ ମାଡ଼ ଗୋଳ, ହେଲେ ଦିଲ୍ଲୀରେ କୋଳାକୋଳି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ୨୦୨୪ରେ ବିଜେପି କେନ୍ଦ୍ରରେ ରହିବ କି ନାହିଁ ଦେଖନ୍ତୁ।