ଯଦି କେହି କାମ କରିବାକୁ ଚାହୁଁଛନ୍ତି; ତାହାଲେ ଗୁଜୁରାଟ କଂଗ୍ରେସର ନେତୃବୃନ୍ଦ କାହାକୁ କାମ କରିବାକୁ ଦେଉନାହାନ୍ତି: ହାର୍ଦ୍ଦିକ ପଟେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମିଶନ ଗୁଜୁରାଟ ଆରମ୍ଭ କରିଛି । ଏନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଏହାର ଦାୟିତ୍ୱ ଦଳ ପ୍ରଦାନ କରିଛି । ସେପଟେ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସରେ ଦଳୀୟ କନ୍ଦଳ ସେତିକି ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସର ଯୁବ ନେତା ହାର୍ଦ୍ଦିକ ପଟେଲ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଗୁଜରାଟ କଂଗ୍ରେସ ପାର୍ଟିରେ ସମସ୍ୟା ହେଉଛି ନେତୃତ୍ୱ। ରାଜ୍ୟର କୌଣସି କଂଗ୍ରେସ ନେତାଙ୍କ ସହ ମୋର ବ୍ୟକ୍ତିଗତ ସମସ୍ୟା ନାହିଁ। ନେତୃବୃନ୍ଦ କାହାକୁ ବି କାମ କରିବାକୁ ଦେଉନାହାନ୍ତି। ଯଦି କେହି କାମ କରିବାକୁ ଚାହୁଁଛନ୍ତି, ତାଙ୍କୁ ଅଟକା ଯାଉଛି ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଏ ସମ୍ପର୍କରେ ମୁଁ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଇଛି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ହାଇକମାଣ୍ଡ ପ୍ରତିଶ୍ରୁତି ଦେଇଛନ୍ତି। ଯେତେବେଳେ ଆପଣ ଘରେ କୌଣସି କାରଣ ପାଇଁ ଖୁସି ନାହାନ୍ତି, ତା’ହେଲେ ଏ ସମ୍ପର୍କରେ ଆପଣ ନିଜର ବାପା ମା’ଙ୍କୁ କୁହନ୍ତି। ମୁଁ ମଧ୍ୟ ସେଇଆ କରିଛି। ମୁଁ ସବୁବେଳେ ସତ କହିଛି। ତେଣୁ ଏପରି ସ୍ଥିତିରେ ଦଳ ଛାଡ଼ିବାର କୌଣସି ସମ୍ଭାବନା ନାହିଁ ବୋଲି ଯୁବ ନେତା ହାର୍ଦ୍ଦିକ ପଟେଲ କହିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts