ମୋର ଭାରତ ପାଇଁ ଏକ ସ୍ୱପ୍ନ ଅଛି…. : ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ ଯୋଗେ ଦେଶ ପାଇଁ ତାଙ୍କର ଥିବା ସ୍ବପ୍ନ ବିଷୟରେ କହିଛନ୍ତି। ମମତା କହିଛନ୍ତି ଯେ ସେ ଏପରି ଏକ ଭାରତ ଗଠନ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସମସ୍ତେ କ୍ଷୁଧା ଏବଂ ନିରକ୍ଷରତାରୁ ମୁକ୍ତ ଥିବେ।

ନିଜ ଟୁଇଟରେ ମମତା କହିଛନ୍ତି, “ମୋର ଭାରତ ପାଇଁ ଏକ ସ୍ୱପ୍ନ ଅଛି! ଲୋକଙ୍କ ପାଇଁ, ମୁଁ ଏକ ଏପରି ରାଷ୍ଟ୍ର ଗଠନ କରିବାକୁ ଚାହୁଁଛି ଯେଉଁଠାରେ କେହି ଭୋକିଲା ରହିବେ ନାହିଁ, ଯେଉଁଠାରେ କୌଣସି ମହିଳା ନିଜକୁ ଅସୁରକ୍ଷିତ ମନେ କରିବେ ନାହିଁ, ଯେଉଁଠାରେ ପ୍ରତ୍ୟେକ ଶିଶୁ ଶିକ୍ଷାର ଆଲୋକ ଦେଖିବେ, ଯେଉଁଠାରେ ସମସ୍ତଙ୍କୁ ସମାନ ବ୍ୟବହାର କରାଯିବ, ଯେଉଁଠାରେ କୌଣସି ଶକ୍ତି ଲୋକମାନଙ୍କୁ ବିଭାଜିତ କରି ପାରିବେ ନାହିଁ ।” ମମତା ଆହୁରି ମଧ୍ୟ କହିଛନ୍ତି ଯେ ଏହି ମହାନ ରାଷ୍ଟ୍ରର ଲୋକଙ୍କୁ ମୋର ପ୍ରତିଜ୍ଞା ଯେ ମୁଁ ଆମର ସ୍ୱପ୍ନର ଭାରତ ପାଇଁ ପ୍ରତିଦିନ ଚେଷ୍ଟା କରିବି।

ସୂଚନା ଅନୁସାରେ ମମତା ବାନାର୍ଜୀ ବର୍ତ୍ତମାନ ଜାତୀୟ ରାଜନୀତିରେ ସକ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି। କେତେକ ସ୍ଥାନରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କର ବିକଳ୍ପ ବୋଲି ମଧ୍ୟ ଚିତ୍ରିତ କରାଯାଉଛି। ମମତା ମଧ୍ୟ ମୋଦି ସରକାର ବିରୋଧରେ ଲଗାତାର ବିରୋଧୀ ମାନଙ୍କୁ ଏକାଠି କରିବାକୁ ଚେଷ୍ଠା ଜାରି ରଖିଛନ୍ତି। ଏହି କ୍ରମରେ ଗଲା ରାଷ୍ଟ୍ରପତି ନିର୍ବାଚନରେ ସେ କିଛି ବିରୋଧୀ ଦଳମାନଙ୍କୁ ଏକାଠି କରି ମିଳିତ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲେ। ମାତ୍ର ବିରୋଧୀଙ୍କ ଏକତା ଅଭାବରୁ ତାଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହେଲେ। ତେବେ ମମତା ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି ଓ ଜାତୀୟ ରାଜନୀତିରେ ସକ୍ରିୟ ହେବାପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ ସେ ନିଜ ଲକ୍ଷ୍ୟରେ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।

Related Posts